ପୁରୁଷୋତ୍ତମପୁର, (୦୬/୧୧) : ଆପ୍ର : ଅର୍ଣ୍ଣବ ପ୍ରଳୟଙ୍କରି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ମର୍ମାହତ କଂଗ୍ରେସ ପିସିସି ସଭାପତି ଓ ଆସିଥିବା ପ୍ରତିନିଧି ଦଳ, ପ୍ରକୃତରେ ୬ ଫୁଟ ରୁ 8ଫୁଟ ପାଣି ପଶି ବିଶେଷ କ୍ଷତି କରିଛି କନକା ସ୍ଲମ ଏରିଆ ର ଲୋକମାନଙ୍କର ।
ଯାହାକୁ ଦେଖି ସ୍ତମ୍ବିଭୂତ ହୋଇଗଲେ ଭକ୍ତ ଦାସ । ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲ୍ଲାରେ ଯେଉଁ ଧ୍ୱଂସରକରାଳ ରୂପ ଦେଖାଇଛି ତାହା ଦୀର୍ଘ 70ବର୍ଷ ତଳେ ହୋଇଥିବାର ଲୋକେ କହିଛନ୍ତି | ପୁରୁଷୋତ୍ତମପୁର ସହରରସ୍ଲମ ଏରିଆ ସାହିରେ ବନ୍ୟାର ବିଭୀଷିକା ଏବେ ବି ଅନେକ ପରିବାରଙ୍କ ଜୀବନରେ ଗଭୀର କ୍ଷତ ସୃଷ୍ଟି କରିଛି । ଏଭଳି ଦୁର୍ଦ୍ଦିନରେ ଗୁରୁବାର ପ୍ରଦେଶ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୁଷୋତ୍ତମପୁର ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ ସହ କ୍ଷତିଗ୍ରସ୍ତ ପରିବାରଙ୍କ ଦୁଃଖଦୁର୍ଦ୍ଦଶାର ଅନୁଧ୍ୟାନ କରିଛନ୍ତି ।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଦଳରେ ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତି, ଖଲ୍ଲିକୋଟର ପୂର୍ବତନ ବିଧାୟକ ପ୍ରାର୍ଥୀ ଭୋକାଲି ସେଠୀ, ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ମିଡିଆ ଅଧ୍ୟକ୍ଷ ଅରବିନ୍ଦ ଦାସ, ସୁଧାଂଶୁ ଦେଓ, ପିସିସି ସମ୍ପାଦକ ସତ୍ୟବ୍ରତ ନାୟକ, ସୋନାଲି ସାହୁ, ମନୀଷା ଦାସ ପଟ୍ଟନାୟକ ଓ ଅଞ୍ଜନା ମହାପାତ୍ର ପ୍ରମୁଖ ସାମିଲ ଥିଲେ ।
ପ୍ରତିନିଧି ଦଳ ସହରର ସର୍ବାଧିକ କ୍ଷତିଗ୍ରସ୍ତ କନକାସ୍ଲମ ସାହିରେ ପହଞ୍ଚି ବନ୍ୟାରେ ଭାଙ୍ଗିପଡ଼ିଥିବା ଘରଦ୍ୱାର, ନଷ୍ଟ ହୋଇଥିବା ସମ୍ପତ୍ତି ଏବଂ ଭାସି ଯାଇଥିବା, ଭିଜି ଯାଇଥିବା ଜୀବନଜୀବିକାର ଦୁରବସ୍ଥା ଦେଖିଥିଲେ। ବନ୍ୟା ପରେ ଲୋକେ କିପରି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି, ସେ ସମ୍ପର୍କରେ ପୀଡ଼ିତ ପରିବାରଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦୁର୍ଦ୍ଦଶା ଦେଖି ପ୍ରତିନିଧି ଦଳ ଗଭୀର ମର୍ମାହତ ହୋଇଥିଲେ ।
ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଅଧିକ ବର୍ଷା ହେବା ନେଇ ଯଦି ପୂର୍ବରୁ ସୂଚନା ଥିଲା, ତେବେ ନଦୀବନ୍ଧରୁ ଆଗୁଆ ଜଳ ନିଷ୍କାସନ କରିବାରେ ବିଳମ୍ବ କାହିଁକି ହେଲା? ପ୍ରଶାସନିକ ଅବହେଳା, ତାହାର ଉତ୍ତର ସରକାର ଦେବା ଆବଶ୍ୟକ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ଯାହାଦ୍ୱାରା ଗଞ୍ଜାମ ର ବହୁ ବ୍ଳକ ଜଳାର୍ଣ୍ଣବ ହୋଈ ବହୁ ଧନ ସମ୍ପତି ଘର ଦ୍ୱାର ନଷ୍ଟ ହେଲା ବୋଲି କହିଛନ୍ତି ।
ବନ୍ୟା ପରିଚାଳନାରେ ହୋଇଥିବା ତ୍ରୁଟି ଓ ବିପନ୍ନଙ୍କ ସମସ୍ୟାକୁ ଆଗାମୀ ବିଧାନସଭା ଅଧିବେଶନରେ ଉଠାଇବା ସହ ପ୍ରଭାବିତ ପରିବାରଙ୍କୁ ଅଧିକରୁ ଅଧିକ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଭକ୍ତ ଚରଣ ଦାସ କହିଥିଲେ । ଏହି ଗସ୍ତ ସମୟରେ ଯୁବନେତା ପବିତ୍ର ସେଠୀ, ଟୁଲୁ ବେହେରାଙ୍କ ସମେତ ବହୁ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

