ରାୟଗଡା, (୦୫/୦୬) : ଆପ୍ର : ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ପତ୍ର ସଂଖ୍ୟା–୧୫୦୪୪, ତାରିଖ ୦୧.୦୬.୨୦୨୬ ର ନିର୍ଦ୍ଦେଶନାମା ଅନୁଯାୟୀ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳନ ଅବସରରେ ରାୟଗଡ଼ ପୌରପରିଷଦ ଆନୁକୂଳ୍ୟରେ ବୃକ୍ଷରୋପଣ ଏବଂ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ ଉଦ୍ଘାଟନ ସମାରୋହ ଆୟୋଜିତ ହୋଇଥିଲା ।
ଏହା ସହିତ “ମୋ ବଗିଚା”, “ୱେଷ୍ଟ ଟୁ ୱାଣ୍ଡର ପାର୍କ” ଏବଂ “ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟା କରଣ କେନ୍ଦ୍ର”ର ମଧ୍ୟ ଉଦ୍ଘାଟନ କରାଯାଇଥିଲା। ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ଜିଲ୍ଲା ବନ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହୋଲ, ଜିଲ୍ଲା ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ରାୟଗଡ଼ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ସମସ୍ତ ୱାର୍ଡ ପାରିଷଦବୃନ୍ଦ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, କନିଷ୍ଠ ପରିମଳ ନିରୀକ୍ଷକ ଓ ପୌରପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିମଳ ଉଦ୍ୟାନର ମୁଖ୍ୟ ଫାଟକ ଉଦ୍ଘାଟନ ପରେ “ମୋ ବଗିଚା” ପରିସରରେ ବୃକ୍ଷରୋପଣ କରିଥିଲେ । “ୱେଷ୍ଟ ଟୁ ୱାଣ୍ଡର ପାର୍କ” ଏବଂ “ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର”ର ଉଦ୍ଘାଟନ କରାଯାଇଥିଲା। ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିବା ସହ ରାୟଗଡ଼ ପୌରପରିଷଦ ଦ୍ୱାରା ନିର୍ମିତ ଏହି ଅଭିନବ ପ୍ରକଳ୍ପଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ସେମାନେ ଆବର୍ଜନା ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ କହିଛନ୍ତି ।
ପ୍ଲାଣ୍ଟ ପରିସର ମିନି କନଫରେନ୍ସ ହଲ୍ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ପାରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପରିମଳ ବ୍ୟବସ୍ଥା ଓ ଆବର୍ଜନା ପରିଚାଳନା ସମ୍ବନ୍ଧୀୟ ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ସମସ୍ତ ଅତିଥି ଓ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ । ରାୟଗଡା ପୌରପରିଷଦର ଅଭିନବ ଓ ପରିବେଶବନ୍ଧବ ପଦକ୍ଷେପକୁ ସାଧାରଣ ଜନସାଧାରଣଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଉଛି ।

