ରାୟଗଡ଼ା, (୩୦/୧୦) : ଆପ୍ର : ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ ମୃତଦେହ । ଏଭଳି ଏକ ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ମୃତକ ହେଉଛନ୍ତି ବାଘଡଙ୍ଗରି ଗ୍ରାମର ଗରିବ ବାଗ । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗରିବ ଘରୁ ବାହାରି ଯାଇଥିଲେ । ମାତ୍ର ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳେ ରେଲୱେ କଲୋନୀ ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଘର ସମ୍ମୁଖରେ ଥିବା ଖୋଲା ପାଇଖାନା ଟାଙ୍କିରେ ତାଙ୍କ ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ । ଏନେଇ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗରିବଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ସନ୍ଦେହ ପ୍ରକାଶ କରି ଅଭିଯୋଗ ଆଣିଛନ୍ତି । ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି ।

