ରେଢାଖୋଲ, (୧୬/୧୦) : ଆପ୍ର : ରେଢାଖୋଲ ବନଖଣ୍ଡ ବଡବାହାଳ ବନାଞ୍ଚଳର ଧଉରାଖମଣ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ନିତିଦିନିଆ ଘଟଣାରେ ପାଲଟିଛି ।
ବାରମ୍ବାର ହାତୀପଲ ଗାଁ ନିକଟସ୍ଥ ଚାଷଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ହାତୀ ଦାଉରୁ ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ଅନେକ ଚାଷୀ ଗଛ ଉପରେ ମଞ୍ଚା ତିଆରି କରି ରାତିରାତି ଜଗି ରହୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଫସଲ ସୁରକ୍ଷା କରିବାକୁ ପଡୁଥିବାରୁ ଚାଷୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି ।
ସ୍ଥାନୀୟ ଚାଷୀଙ୍କ କହିବା ଅନୁସାରେ, ଦିନବେଳେ ବାରହା ଚାଷଜମିରେ ପଶି ଫସଲ ନଷ୍ଟ କରୁଥିବା ବେଳେ ସନ୍ଧ୍ୟା ହେଲେ ହାତୀପଲ ଧାନ ଫସଲ ନଷ୍ଟ କରିବାକୁ ଆସୁଛନ୍ତି । ଫଳରେ ଦିନରାତି ଫସଲ ଜଗିବାକୁ ପଡୁଥିବାରୁ ଚାଷୀଙ୍କ ନିଦ ହଜିଯାଇଛି । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗାଁର କିଛି ଚାଷୀ ହାତୀପଲଙ୍କୁ ଠାବ କରିଥିଲେ । ହାତୀମାନଙ୍କୁ ଚାଷଜମିରୁ ଦୂରେଇ ରଖିବା ପାଇଁ ଚାଷୀମାନେ ବାଣ ଫୁଟାଇବା ସହ ସେଠାରେ ଜଗି ରହିଥିଲେ । ତେବେ ଘଣ୍ଟା ଘଣ୍ଟା ଧରି ହାତୀପଲ ସେହି ଅଞ୍ଚଳରେ ରହିଥିବା ଚାଷୀମାନେ କହିଛନ୍ତି ।
ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବା ସମୟରେ ହାତୀମାନେ ଲୋକଙ୍କୁ ଗୋଡ଼ାଇଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି । ସେପଟେ ହାତୀପଲଙ୍କୁ ଘଉଡ଼ାଇବା ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେମାନଙ୍କୁ ଜନବସତିଠାରୁ ଦୂରେଇ ରଖିବା ପାଇଁ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି । ହାତୀ-ମଣିଷ ଲଢ଼େଇ ମଧ୍ୟରେ ଚାଷୀଙ୍କ ବର୍ଷକର ପରିଶ୍ରମ ନଷ୍ଟ ହେଉଥିବାରୁ ଫସଲ ସହ ଚାଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ପ୍ରଭାବୀ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

