Homelocalଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ; ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସାଂସଦ ସପ୍ତଗିରି...

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ; ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, (୦୬/୯) : ଆପ୍ର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଦେବଗିରି ଶୈବପୀଠ ନିକଟସ୍ଥ ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2026 09 06 at 20.56.28 1

କଲେଜ ପରିଚାଳନା ସମିତିର ସଭାପତି ଭି.ଭି. ୱାର ପ୍ରସାଦ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଅତିଥିମାନଙ୍କୁ ଉତ୍ତରୀୟ, ବ୍ୟାଜ୍‌ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।

ସମ୍ମାନିତ ଅତିଥି ଭାବେ ନିର୍ମଳା କାଡ୍ରାକା, କଲେଜ ଅଧ୍ୟକ୍ଷ ଜଗେଶ୍ୱର ଗରଡ଼ା ଏବଂ ଡ଼ଃ. ସୌମ୍ୟ ରଞ୍ଜନ ଜେନାଙ୍କ ସମେତ ପରିଚାଳନା ସମିତିର ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ। ଅଧ୍ୟକ୍ଷ ଜଗେଶ୍ୱର ଗରଡ଼ା ବାର୍ଷିକ ବିବରଣୀ ଉପସ୍ଥାପନ କରି ମହାବିଦ୍ୟାଳୟର ଅଗ୍ରଗତି, ଶିକ୍ଷା କ୍ଷେତ୍ରରେ ସଫଳତା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ସାଂସଦ ସପ୍ତଗିରି ଉଲାକା ନିଜ ବକ୍ତବ୍ୟରେ ଶିକ୍ଷାର ମହତ୍ତ୍ୱ, ଶୃଙ୍ଖଳା, ନୈତିକ ମୂଲ୍ୟବୋଧ ଓ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀମାନେ ନିଷ୍ଠା ଓ ଏକାଗ୍ରତାର ସହ ପାଠପଢ଼ା ଜାରି ରଖି ନିଜର ଭବିଷ୍ୟତ ଗଠନ କରିବା ସହ ଅଞ୍ଚଳର ବିକାଶରେ ଯୁବପିଢ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । ଏଥିସହ ମହାବିଦ୍ୟାଳୟର ସଦସ୍ୟମାନଙ୍କୁ ପୁଷ୍ପଗଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନ ଜଣାଯାଇଥିଲା । ସଭାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ, ନୈତିକ ମୂଲ୍ୟବୋଧ ଓ ସମାଜ ପ୍ରତି ଦାୟିତ୍ୱବୋଧ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପରେ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ।

ଦ୍ୱିତୀୟାର୍ଦ୍ଧରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପିକା ସଂଯୁକ୍ତା ଗରଡ଼ା, ହେମାନନ୍ଦ ବାଗ, ସରିତା ପାତ୍ର, ଭବାନୀ ସାହୁଙ୍କ ସମେତ ଗଣେଶ ରାଉତ ଓ ପି. ଜଗନ୍ନାଥ ପରିଚାଳନାରେ ସହଯୋଗ କରିଥିଲେ। ଉତ୍ସବକୁ ନେଇ ମହାବିଦ୍ୟାଳୟ ପରିସରରେ ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments