ଚିତ୍ରକୋଣ୍ଡା, (୦୯/୧୧) : ଆପ୍ର : ଚିତ୍ରକୋଣ୍ଡା ବନାଞ୍ଚଳ ଅନ୍ତର୍ଗତ ଦାତୁନଙ୍ଗୁଡ଼ା ସୀମାନ୍ତ ସିଲେରୁ ଜଙ୍ଗଲ ଅଞ୍ଚଳ ତଥା ଏହାର ଆଖପାଖ ଚାଷ ଜମିରେ ଗୋଟିଏ ମାଈ ଭାଲୁ ତାର ଦୁଇଟି ଛୁଆଙ୍କ ସହିତ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଦେଖିବାକୁ ମିଳିଛି ।
ଏହି ଅଞ୍ଚଳରେ ମକା, ମାଣ୍ଡିଆ ଆଦି ଫସଲ ଚାଷ ହୋଇଥିବାରୁ ଭାଲୁ ପରିବାର ଖାଦ୍ୟ ସନ୍ଧାନରେ ଚାଷ ଜମି ନିକଟକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଅଞ୍ଚଳର ସମସ୍ତ ଜନସାଧାରଣ, ଚାଷୀ ଭାଇ ଓ ଗ୍ରାମବାସୀ ମାନଙ୍କୁ ଚିତ୍ରକୋଣ୍ଡା ବନାଞ୍ଚଳ, ମାଲକାନଗିରି ବନଖଣ୍ଡ ପକ୍ଷରୁ ଜଙ୍ଗଲ ଓ ଚାଷ ଜମି ନିକଟକୁ ଯିବା ସମୟରେ ସତର୍କ ରୁହନ୍ତ । ଏକୁଟିଆ ଜଙ୍ଗଲ କିମ୍ବା ଚାଷ ଜମିକୁ ଯିବାରୁ ନିବୃତ୍ତ ରୁହନ୍ତୁ । ଭାଲୁ କିମ୍ବା ତାର ଛୁଆମାନଙ୍କୁ ଦେଖିଲେ ସେମାନଙ୍କ ନିକଟକୁ ଯାଆନ୍ତୁ ନାହିଁ ଏବଂ ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ ।
ଭାଲୁକୁ ପଥର ମାରିବା, ହଇରାଣ କରିବା କିମ୍ବା ଉତ୍ତେଜିତ କରିବା ଭଳି କାର୍ଯ୍ୟ କରନ୍ତୁ ନାହିଁ । ଭାଲୁ ଦେଖାଗଲେ ତୁରନ୍ତ ନିକଟସ୍ଥ ବନ କର୍ମଚାରୀଙ୍କୁ ଖବର ଦିଅନ୍ତୁ । ଭାଲୁ ଓ ତାର ଛୁଆମାନଙ୍କୁ କୌଣସି ପ୍ରକାରେ କ୍ଷତି ନ ପହଞ୍ଚାଇ ସେମାନଙ୍କୁ ନିଜ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ରହିବାକୁ ଦିଅନ୍ତୁ । ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ମଣିଷର ଜୀବନ ରକ୍ଷା ମଧ୍ୟ ଆମ ସମସ୍ତଙ୍କ ଦାୟିତ୍ୱ । ତେଣୁ ଭୟଭୀତ ନ ହୋଇ ସତର୍କ ରୁହନ୍ତୁ ବୋଲି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ସାରକା ଲୋକଙ୍କୁ ସଚେତନ କରୁଛନ୍ତି ।

