ଭୁବନେଶ୍ୱର, (୧୩/୦୯) : ଆପ୍ର : ରାଜ୍ୟରେ ଆହୁରି ବର୍ଷିବ । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ଛତିଶଗଡ଼ ନିକଟରେ ସକ୍ରିୟ ରହିଛି । ଏହାସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ଦେଢ଼ କିମି ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଏଥିଯୋଗୁ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ଢଳି ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟ ରେ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହିତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର,କୋରାପୁଟ, କଳାହାଣ୍ଡି ମାଲକାନଗିରିରେ, ବଲାଙ୍ଗୀରି, ନୂଆପଡା ଓ ବରଗଡ଼ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଅବଶିଷ୍ଟ ୨୩ ଜିଲ୍ଲାରେ ବିଜୁଳି ଘଡଘଡି କିମ୍ବା ବ୍ରଜପାତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ଆସନ୍ତାକାଲି ଗଜପତି, ଗଞ୍ଜାମ,ପୁରୀ, ଖୋର୍ଦ୍ଧା, ନୟାଗଡ , କଟକ, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ, ଵଲେଶ୍ୱର, ଯାଜପୁର ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ପାଇଁ ସତର୍କତା ଜାରି କରାଯାଇଛି। ୧୭ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଟି ସ୍ଥାନରେ ଅତି ପ୍ରବଳ ବର୍ଷା ସତ୍ତ୍ବେ ଗଜପତିରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିର ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମିମି ବର୍ଷା ରେକର୍ଡ ହୋଇଛି । ଜୁନ ୧ ରୁ ଏଯାବତ ୧୨୫୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୧୦୨୮.୨ ମିଲିମିଟର । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୨ ପ୍ରତିଶତ ଅଧିକ ରହିଛି ।

