ପୁରୀ, (୨୮/୦୬) : ଆପ୍ର : ୧୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ । ଗତକାଲି ରାତି ୧୦ଟା ୩୦ରୁ ଆଜି ଦିନ ୧ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।
ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ଏହା ପୂର୍ବରୁ ଶ୍ରୀମନ୍ଦିରରେ ବିଶେଷ ନୀତିମାନ ଅନୁଷ୍ଠିତ ହେବ । ପୂର୍ବ ପ୍ରସ୍ତୁତି ପାଇଁ ସାଢ଼େ ୧୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ଅନୁମୋଦିତ କାର୍ଯ୍ୟସୂଚୀକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ନାନ ମଣ୍ଡପ ସମ୍ମୁଖରେ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କରାଯାଇଛି ।
ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ସ୍ନାନ ମଣ୍ଡପରେ ଦର୍ଶନ ସାରି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ବ୍ୟବସ୍ଥା କରାଯାଇଛି । ସେହିପରି ଟିକେଟଧାରୀ ଶ୍ରଦ୍ଧାଳୁମାନେ କେବଳ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିପାରିବେ। କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ଶ୍ରୀମନ୍ଦିର ଭିତର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୭୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆଜିଠାରୁ ଶ୍ରୀମନ୍ଦିର ବାହାରେ ବ୍ୟାପକ ପୋଲିସ ମୁତୟନ ହେବାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଫୋକସ୍ କରିଛି ପୋଲିସ ପ୍ରଶାସନ ।

