ବଲାଙ୍ଗିର, (୦୭/୧୧) : ଆପ୍ର : ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ପଛପଟ ରାଜୀବନଗର ଉପକଣ୍ଠରେ ବଲାଙ୍ଗିର ଟାଉନ ପୁଲିସ ଚଢ଼ଉ କରି ୨୧.୫ କେଜି ଗଞ୍ଜେଇ ସହ ଏକ ବନ୍ଧୁକ ଜବତ କରିଛି ।
ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ରାଜୀବନଗରପଡ଼ାର ଜିତେନ୍ଦ୍ର ସାହୁ (୩୩) ଓ ବଲାଙ୍ଗିର ସଦର ଥାନା ବକ୍ସିଉଡ଼ାର ଗାଁ’ର ମୌସମ ତ୍ରିପାଠୀ (୨୬)ଙ୍କୁ ଗିରଫ କରିଛି । ଟାଉନ ପୁଲିସ ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ୧୨ଟା ୩୦ରେ ଟାଉନ ଥାନା ଏସ୍ଆଇ ବିଶାଖା ନାଏକଙ୍କ ନେତୃତ୍ବରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ରାଜୀବନଗର ଉପକଣ୍ଠ ନୂତନ ବସଷ୍ଟାଣ୍ଡ ପଛପଟେ ୨ଜଣ ଦୁର୍ବୃତ୍ତ ଗଞ୍ଜେଇ କାରବାର ଚଳାଇଥିବା ନେଇ ସୂଚନା ମିଳିଥିବା ଏସ୍ଆଇ ବିଶାଖା ଟାଉନ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଟାଉନ ଥାନା ଅଧିକାରୀ ଅବନୀ ସାହୁଙ୍କ ନିର୍ଦେଶକ୍ରମେ ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ଓ ୨ଟି ମୋବାଇଲ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜିତେନ୍ଦ୍ର ଓ ମୌସମଙ୍କୁ ଗିରଫ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବାରୁ ତାହା ୨୧.୫ କେଜି ହୋଇଥିବା ଜଣାପଡ଼ିଛି ।
ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦.୫ ଲକ୍ଷରୁ ଅଧିକ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ଜିତେନ୍ଦ୍ର ବିରୋଧରେ ବଲାଙ୍ଗିର ଟାଉନ ଥାନାରେ ପୂର୍ବରୁ ୪ଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ମୌସମ ବିରୋଧରେ ଟାଉନ ଥାନାରେ ଗୋଟିଏ ଓ ବଲାଙ୍ଗିର ସଦର ଥାନାରେ ଗୋଟିଏ ମାମଲା ରହିଥିବା ଟାଉନ ପୁଲିସ ସୂଚନା ଦେଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଦୁର୍ବୃତ୍ତମାନେ ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ପଛପଟେ ମାଫିଆଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ପୁଲିସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ପୁଲିସ ଅଭିଯୁକ୍ତଙ୍କ ଜବତ ମୋବାଇଲ ଯାଞ୍ଚ ପରେ ଏମାନେ କେଉଁଠାରୁ ଗଞ୍ଜେଇ ଆଣି କାହାକୁ ଦେଇଥାନ୍ତେ ତାହା ଜଣାପଡ଼ିବ ବୋଲି ସଂଧ୍ୟାରେ ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସ୍ଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ ଏସ୍ଆଇ ଚର୍ଚ୍ଚିଲ କୁମାର ମହାପାତ୍ର ମାମଲା ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ଥାନା ଅଧିକାରୀ ଇନ୍ସପେକ୍ଟର ଅବନୀ ସାହୁ, ଏସ୍ଆଇ ବିଶାଖା ନାଏକ, ଏଏସ୍ଆଇ ଦିଲୀପ କୁମାର ଡାଙ୍ଗ, ଏଏସ୍ଆଇ ବୈକୁଣ୍ଠ ଦେହେରୀ, ଏଏସ୍ଆଇ ଖିତେଶ୍ବର ପାଣ୍ଡେ, ହାବିଲଦାର ଜେ. ମୁଗ୍ରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ । ଗଞ୍ଜେଇ କାରବାର ଅଭିଯୋଗରେ ପୁଲିସ ଚଢ଼ଉ ସମୟରେ ସ୍ଥାନୀୟ ଅଞ୍ଚଳରେ ଜନୈକା ମହିଳା ଘଟଣାସ୍ଥଳରେ ଉପସ୍ଥିତ ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ପୁଲିସକୁ ଦେଖି ସେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ମହିଳାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ବଲାଙ୍ଗିରରେ ଦିନକୁ ଦିନ ବେଆଇନ ଗଞ୍ଜେଇ, କଫସିରପ ଆଦି ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ମଧ୍ୟ ମହିଳାମାନେ ଗିରଫ ହୋଇଥିବା ଦେଖିବାକୁ ମିଳିଛି । ପୁଲିସ ପକ୍ଷରୁ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ପରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବେ ବୋଲି ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ଉ ସମୟରେ ଉପସ୍ଥିତ ମହିଳାଜଣକ କିଏ ଓ ଗିରଫ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କ କ’ଣ ତାହା ପୁଲିସ ସ୍ପଷ୍ଟ କରିବାକୁ ଦାବି ହେଉଛି ।

