କଳାହାଣ୍ଡି, (୧୯/୧୦) : ଆପ୍ର : ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତରଯାତ୍ରା । ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେଲା ଭବାନୀପାଟଣାର ରାଜରାସ୍ତା ।
ଏଥିପାଇଁ କଳାହାଣ୍ଡିର ବିଭିନ୍ନ ଦେବୀଙ୍କ ପୀଠ ଓ ଗ୍ରାମାଞ୍ଚଳରେ ଉତ୍ସବର ମାହୋଲ । ଘଣ୍ଟ, ନିଶାନ,ତାସା ସହ କଳାହାଣ୍ଡିର ବୀର ବାଦ୍ୟ ଘୁମୁରାର ତାଳେ ତାଳେ ଜେନାଖାଲରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରୁଛନ୍ତି ମା । ଘୁମୁରା ବିର ବାଦ୍ୟରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଛି । ପରମ୍ପରା ଅନୁଯାୟୀ, ମହାଷ୍ଟମୀର ମଧ୍ୟରାତ୍ରିରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଗର୍ଭଗୃହରୁ ବାହାର କରାଯାଇ ଛତ୍ରବାହକ, ମୁଣ୍ଡଛିନା ଜେନା ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠ ଫାଶୀଡଙ୍ଗରସ୍ଥିତ ଜେନାଖାଲକୁ ନିଆଯାଇଥାଏ । ସେଠାରେ ଗୁପ୍ତପୂଜା ଓ ସନ୍ଧିପୂଜା ସମ୍ପନ୍ନ ହେବା ପରେ ମହାଷ୍ଟମୀ ଭୋରରୁ ଆରମ୍ଭ ହୁଏ ମା’ଙ୍କ ମନ୍ଦିର ଅଭିମୁଖେ ଯାତ୍ରା । ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ଜମିଛି ।
ଶେଷରେ ମା’ଙ୍କ ପ୍ରତିମା ମନ୍ଦିରରେ ପହଞ୍ଚିବା ପରେ କଳାହାଣ୍ଡିର ମହାରାଜା ବନ୍ଦାପନା କରି ଛତରକୁ ଗର୍ଭଗୃହରେ ସ୍ଥାପନ କରିଥାନ୍ତି । ଯାତ୍ରା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୫ଟି ସ୍ଥାନରେ ସିସିଟିଭି କ୍ୟାମେରା, ୯୫ ଜଣ ପୋଲିସ ଅଧିକାରୀ ଏବଂ ଡ୍ରୋନ୍ ମାଧ୍ୟମରେ ସମଗ୍ର ଯାତ୍ରା ଉପରେ କଡ଼ା ନଜର ରଖାଯାଇଛି ।

