Homelocalଆଜି ଲଘୁଚାପ ସମ୍ଭାବନା, ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷା

ଆଜି ଲଘୁଚାପ ସମ୍ଭାବନା, ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ୱର, (୧୦/୦୯) : ଆପ୍ର : ଆଜି ଲଘୁଚାପ ସମ୍ଭାବନା, ଉତ୍ତର ଓଡ଼ିଶାରେ ବଢ଼ିବ ବର୍ଷା । ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ । ୨୦ ସେମିରୁ ଅଧିକ ବର୍ଷା ଆଶଙ୍କା, କେନ୍ଦୁଝର-ବାଲେଶ୍ୱର-ଭଦ୍ରକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।

ଆଜି ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ଓ ଝଟକା ପବନର ଆଶଙ୍କା ରହିଛି । ବିଶେଷ କରି ଆଜିଠାରୁ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଗଠନର ସମ୍ଭାବନା ରହିଛି । ସବୁଠାରୁ ଅଧିକ ବର୍ଷାର ଆଶଙ୍କା ମୟୂରଭଞ୍ଜ ଜିଲ୍ଲାରେ ରହିଛି । ଆଜି ସକାଳ ସାଢ଼େ ୮ଟାରୁ କାଲି ସକାଳ ସାଢ଼େ ୮ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । ଏଥିପାଇଁ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ। ଆସନ୍ତକାଲି ବର୍ଷାର ମୁଖ୍ୟ ପ୍ରଭାବ ଦକ୍ଷିଣ-ପଶ୍ଚିମ ଓଡ଼ିଶା ଆଡ଼କୁ ସ୍ଥାନାନ୍ତର ହେବ । କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ରାଜ୍ୟର ଅଧିକାଂଶ ଅନ୍ୟ ଜିଲ୍ଲା ୟେଲୋ ୱାର୍ଣ୍ଣିଂରେ ରହିବେ। ତେବେ ଏହି ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ପାଇଁ କୌଣସି ପାଣିପାଗ ଚେତାବନୀ ରହିନାହିଁ । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ଘଡ଼ଘଡ଼ି ଓ ବିଜୁଳି ସମୟରେ ଘର ଭିତରେ କିମ୍ବା ସୁରକ୍ଷିତ ସ୍ଥାନରେ ରହିବା ସହ ଖୋଲା ପଡ଼ିଆ ଓ ଜଳାଶୟଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments