ବଲାଙ୍ଗିର, (୦୬/୧୧) : ଆପ୍ର : ଅର୍ଣ୍ଣବ ବାତ୍ୟାଜନିତ ବର୍ଷା ଓ ପବନ ଯୋଗୁଁ ଆମ ଜିଲ୍ଲାର ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କିଛି ଜମିରେ ଧାନ ଅମଳ ଶେଷ ପର୍ଯ୍ୟାୟରେ ଥିଲା ।
ପନିପରିବା ଚାଷ ମଧ୍ୟ ବର୍ଷା ପାଣି ଜମି ଯିବାରୁ ପ୍ରାୟତଃ ପଚିଯାଇଛି । କପା ଚାଷ ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟର ଅଲଗା ଅଂଚଳ ଚାଷୀଙ୍କ ପାଇଁ ସରକାର କ୍ଷତିପୂରଣ ପାଇଁ ପଦକ୍ଷେପ ନେଉଥିବା ବେଳେ କ୍ରମାଗତ ଭାବରେ ବଲାଙ୍ଗିର ଜିଲ୍ଲା ଚାଷୀଙ୍କୁ କ୍ଷତିପୂରଣ ପାଇବାରୁ ବଂଚିତ କରାଯାଉଛି । ଏଣୁ ଏହି ଅର୍ଣ୍ଣବ ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଚାଷର ଭରଣା ପାଇଁ ଆମ ଜିଲ୍ଲାର ଚାଷୀଙ୍କୁ ରାଜ୍ୟ ସରକାର ଶୀଘ୍ର କ୍ଷତିପୂରଣ ପାଇବାର ବ୍ୟବସ୍ଥା କରନ୍ତୁ ନଚେତ ବଲାଙ୍ଗିରରେ ପୁଣି ଏକ ବିରାଟ ଚାଷୀ ଆନ୍ଦୋଳନ କରି ସରକାରୀ କଳକୁ ଅଚଳ କରିଦିଆଯିବ ବୋଲି ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ହୋଇଥିବା ବିକ୍ଷୋଭ ସମାବେଶରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଅମରେନ୍ଦ୍ର ମିଶ୍ର ପ୍ରଶାସନ ଓ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ସେ ଅମରେନ୍ଦ୍ର ଆହୁରି ମଧ୍ୟ କହିଥିଲେ ଯେ, ଲୋକଙ୍କ ସରକାର କହୁଥିବା ଏହି ସରକାର ଚାଷୀଙ୍କ ପ୍ରଧାନ ଶତୃ ଅଟେ । ସାର କଳାବଜାରି ହେଉ କି ଧାନ କିଣା ଦୁର୍ନୀତି ହେଉ ଯେତେ ଅଭିଯୋଗ କଲେ ମଧ୍ୟ ଏହି ସରକାର ଚାଷୀଙ୍କ କଥା ଶୁଣୁ ନାହିଁ । ରାଜ୍ୟ ସରକାରଙ୍କ କୃଷିମନ୍ତ୍ରୀ ଆମ ଜିଲ୍ଲାରେ ଥିଲେ ହେଁ ଆଜି ପର୍ଯ୍ୟନ୍ତ ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନେଇ କୌଣସି ପ୍ରକାର କ୍ଷତି ଆକଳନ କରାଯାଇନାହିଁ । ତେଣୁ ଆମର ଦାବି ସରକାର ଯେତେ ଶୀଘ୍ର ହେବ କୃଷି ଓ ରାଜସ୍ୱ ବିଭାଗକୁ ନେଇ ଏକ ଯୁଗ୍ମ ସର୍ବେକ୍ଷଣ ଜରିଆରେ ଚାଷ ଜମିକୁ ଯାଇ ଶୀଘ୍ର ଆକଳନ କରନ୍ତୁ ନଚେତ ଲୋକ ଓ ଚାଷୀଙ୍କ ଆକ୍ରୋଶର ସାମନା ହେବା ପାଇଁ ପ୍ରସ୍ତୁତ ରହନ୍ତୁ ।
ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ, ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଓମ୍ ପ୍ରକାଶ କୁମ୍ଭାର, ମନମୋହନ ପଟେଲ, ରାଜ କିଶୋର ବାବୁ, ବୁଲୁ ଦାନୀ, ହୃନ୍ଦାନନ୍ଦ ଭୋଇ, ଜ୍ୟୋତିଷ ମୁଗ୍ରୀ, ଶ୍ରୀଧର ବାରିକ, ସରୋଜ ରଥ, କାନ୍ତେଶ୍ୱର ପ୍ରଧାନ, ରାମ ପ୍ରସାଦ ମିଶ୍ର, ସରୋଜ ରଥ, ପପୁ ପାତ୍ର, ମନୀଷ ମିଶ୍ର, ଅସୀତ ମିଶ୍ର, ସନ୍ତକ ବହିଦାର, ଅଙ୍କିତ ମିଶ୍ର, ଉମାକାନ୍ତ ସାହୁ, ସୀତାରାମ କୁମ୍ଭାର, ସରୋଜ ମେଶ୍ୱା ପ୍ରମୁଖ ସରକାରଙ୍କ ଚାଷୀ ମାରଣ ମନୋଭାବକୁ କଠୋର ସମାଲୋଚନା କରିଥିଲେ ।
ବିକ୍ଷୋଭ ପରେ ଚାଷ କ୍ଷୟକ୍ଷତି ପ୍ରଦାନ ଦାବି ଓ ସାର ଦୁର୍ନୀତିର ଅନୁସନ୍ଧାନ ସହ ଦୋଷୀଙ୍କୁ ଦଣ୍ଡ ଦାବିରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ଚୌହାନ, ପ୍ରଫୁଲ୍ଲ ଦାଶ, ପ୍ରଦୋଶ ପାଣିଗ୍ରାହୀ, ଅର୍ଜୁନ ସାହୁ, ପ୍ରତାପ ଦୀପ, ପଦ୍ମନ ଛତ୍ରିଆ, ନିତନ ହୋତା, ଲଳିତ ପଟେଲ, ସମିର କୁମ୍ଭାର, ହରି ନନ୍ଦ, ବିରୋଧ ତାଣ୍ଡି, ଶ୍ୟାମ ସାଏ, ହିମାଂଶୁ ନାଏକ, କୈଳାସ ମିଶ୍ର, ମିଟୁ ସାହୁ, ଯୁଗନ ପଧାନ, ଲାଲୁ ପଧାନ, ଅବଦୁଲ ରଜାକ, ବୈଷ୍ଣବ ଧରୁଆ, ଫିରୋଜ ସାହୁ, ସଂକୀର୍ତନ ମେହେର, ଜ୍ୟୋତି ରଂଜନ ନାଗ, ସାନ୍ତନୁ ସିଂହ, ସଂଜୀବ ପଧାନ, ଜୁଲୁ ପଟ୍ଟନାୟକ, ଅଶୋକ ପଟେଲ, ସୋହନ ନାଗ ପ୍ରମୁଖ ସାମିଲଥିଲେ ।

