ଭୁବନେଶ୍ବର, (୨୭/୦୫) : ଆପ୍ର : ପରିବହନ ବିଭାଗ ଗତ ତିନି ଦିନ ମଧ୍ୟରେ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ୪୬୧୧ ଟି ଇ-ଚାଲାଣ ଜାରି କରିବା ସହ ୨୧ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରିଛି ।
ଏଥିସହିତ ନିୟମ ଉଲ୍ଲଂଘନ କରିଥିବା ୮ଟି ଗାଡ଼ିକୁ ଜବତ କରାଯାଇଥିବା ବେଳେ ୯୩ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଦ୍ରୁତଗତିରେ ଗାଡ଼ି ଚଲାଇବା ଯୋଗୁଁ ୧୨୮୯ଟି ଏବଂ ବିନା ହେଲମେଟ୍ରେ ଗାଡ଼ି ଚାଳନା ଯୋଗୁଁ ୧୨୧୯ଟି ଚାଲାଣ କଟାଯାଇଛି । ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ୧୯୫ଟି ଚାଲାଣ ଏବଂ ବେଆଇନ ପାର୍କିଂ ପାଇଁ ୧୪୬ଟି ଚାଲାଣ ଜାରି ହୋଇଛି ।
କଟକ ଆରଟିଓ ୩୪୯ଟି ଚାଲାଣ ଜାରି କରିଥିବା ବେଳେ ଭୁବନେଶ୍ୱର-୧ ୩୩୩ଟି, ବାଲେଶ୍ୱର ୨୯୮ଟି, ଝାରସୁଗୁଡ଼ା ୨୯୩ଟି ଏବଂ ପୁରୀ ଆରଟିଓ ୧୪୯ଟି ଚାଲାଣ ଜାରି କରିଛି । ସେହିପରି ଖୋରଧା ଏଆରଟିଓ ଜୋରିମାନା ବାବଦରେ ୭. ୮୬ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ପୁରୀ ଆରଟିଓ ୩.୨୦ ଲକ୍ଷ ଟଙ୍କା, ବୌଦ୍ଧ ଆରଟିଓ ୨.୨୩ ଲକ୍ଷ ଟଙ୍କା, ଝାରସୁଗୁଡ଼ା ଆରଟିଓ ୧.୯୪ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱର-୧ ଆରଟିଓ ୧.୫୩ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି । ଆଗକୁ ମଧ୍ୟ ଏହି ଯାଞ୍ଚ ବ୍ୟବସ୍ଥା ବ୍ୟାପକ ଭାବେ ଜାରି ରହିବ ବୋଲି କୁହାଯାଇଛି ।

