ଭବାନୀପାଟଣା, (୦୯/୦୯) : ଆପ୍ର : ଲାଞ୍ଜିଗଡ଼ ବ୍ଲକ୍ ଦୋଲାମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟାଏ ହାତୀ ପଶି ଗତ ରାତିରେ ବ୍ୟାପକ ଭଙ୍ଗାରୁଜା କରିଛି ।
ହାତୀଟି ବିଦ୍ୟାଳୟର କାନ୍ଥ ଓ ଅନ୍ୟାନ୍ୟ ଅଂଶ ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ନଷ୍ଟ କରି ଦେଇଥିବା ଜଣାପଡ଼ିଛି । ରାତିରେ ଗ୍ରାମବାସୀମାନେ ଏକାଠି ହୋଇ ଟର୍ଚ୍ଚ ଲାଇଟରେ ହାତୀକୁ ସେଠାରୁ ଘଉଡ଼ାଇଥିଲେ । ତେବେ ଆଜି ସକାଳ ପର୍ଯ୍ୟନ୍ତ ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିଲେ । ଏଣୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ହେଉଥିବାରୁ ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ବନ ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହ ସୁରକ୍ଷା ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

