ରାୟଗଡ଼ା, (୧୯/୦୯) : ଆପ୍ର : ରାୟଗଡ଼ା ଜିଲ୍ଲାର ରବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଜଣ୍ଡିସ୍ ଆକ୍ରାନ୍ତ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ନେଇ ଚିନ୍ତା ବଢ଼ିଛି ।
ବର୍ତ୍ତମାନ ହଷ୍ଟେଲରେ ରହୁଥିବା ୨୦ରୁ ଅଧିକ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜଣ୍ଡିସ୍ ବ୍ୟାପିବା ଖବର ପରେ ଭୟଭୀତ ହୋଇ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଚାଲିଯାଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଛାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ହଷ୍ଟେଲରେ ଜଣ୍ଡିସ୍ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି । ଆକ୍ରାନ୍ତ ଛାତ୍ରୀମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ହଷ୍ଟେଲର ପରିବେଶ, ପାନୀୟ ଜଳ ଓ ଖାଦ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ଯାଞ୍ଚ କରାଯାଉଛି । ଜଣ୍ଡିସ୍ ସଂକ୍ରମଣର ପ୍ରକୃତ କାରଣ କଣ ଏବଂ ଏହାକୁ ରୋକିବା ପାଇଁ ଆଗକୁ କଣ ପଦକ୍ଷେପ ନିଆଯିବ, ତାହା ଉପରେ ନଜର ରହିଛି ।

