Homelocalପୁଣି ଦାନା ବାନ୍ଧୁଛି ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେବ ନୂଆ ପାଣିପାଗ ବ୍ୟବସ୍ଥା

ପୁଣି ଦାନା ବାନ୍ଧୁଛି ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେବ ନୂଆ ପାଣିପାଗ ବ୍ୟବସ୍ଥା

ଭୁବନେଶ୍ୱର, (୦୯/୧୧) : ଆପ୍ର : ଏହି ସପ୍ତାହରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ନୂଆ ପାଣିପାଗ ବ୍ୟବସ୍ଥା ।

ଅବପାତରେ ପରିଣତ ହେଲେ ୧୬ ତାରିଖରୁ ଦକ୍ଷିଣ ଭାରତରେ ବଢ଼ିପାରେ ବର୍ଷା । ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧିପାରେ ନୂଆ ଲଘୁଚାପ । ଚଳିତ ସପ୍ତାହର ଶେଷ ଭାଗ କିମ୍ବା ଆସନ୍ତା ସପ୍ତାହ ଷେଶ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ ପାଣିପାଗ ଅନୁକୂଳ ହୋଇପାରେ । ପରବର୍ତ୍ତୀ ସମୟରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ମଧ୍ୟ ସମ୍ଭାବନା ରହିଛି ।

ପ୍ରାରମ୍ଭିକ ପାଣିପାଗ ଆକଳନ ଅନୁସାରେ, ୧୩ରୁ ୧୫ ମଧ୍ୟରେ କିମ୍ବା ଏହାର ଆଖପାଖ ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ଏହି ପାଣିପାଗ ବ୍ୟବସ୍ଥା ସୃଷ୍ଟି ହୋଇପାରେ । ତେବେ ଏହାର ନିର୍ଦ୍ଦିଷ୍ଟ ସ୍ଥାନ, ଗତିପଥ ଓ ତୀବ୍ରତା ସମ୍ପର୍କରେ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେଲେ ନଭେମ୍ବର ୧୬ରୁ ଆରମ୍ଭ ହେଉଥିବା ସପ୍ତାହର ପ୍ରଥମ ଭାଗରେ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ। ବିଶେଷକରି ତାମିଲନାଡୁ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ଉପରେ ନଜର ରହିବ ।

କିନ୍ତୁ କେଉଁ ରାଜ୍ୟରେ କେତେ ବର୍ଷା ହେବ, ତାହା ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଉପରେ ନିର୍ଭର କରିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପରେ ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗରରେ ଲଘୁଚାପ ଓ ଅବପାତ ସୃଷ୍ଟି ହେବା ଏକ ସାଧାରଣ ପାଣିପାଗ ପ୍ରକ୍ରିୟା । ଏହି ସମୟରେ ସମୁଦ୍ରର ଉଷ୍ଣ ଜଳରାଶି, ବାୟୁମଣ୍ଡଳରେ ଆର୍ଦ୍ରତା ଏବଂ ପବନର ଅନୁକୂଳ ପରିସ୍ଥିତି ଲଘୁଚାପ ସୃଷ୍ଟିରେ ସହାୟକ ହୋଇଥାଏ । ଏହା ସହ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁ ଓ ପୁଡୁଚେରୀ ଅଞ୍ଚଳରେ ବର୍ଷାର ଏକ ପ୍ରମୁଖ କାରଣ ହୋଇଥାଏ। ଏହି ସମୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ବର୍ଷାର ତୀବ୍ରତା ବଢ଼ିପାରେ। ନିକଟରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।

ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା । ଆସିକା, ସୋରଡ଼ା ଓ ଭଞ୍ଜନଗର ଅଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ଚିନ୍ତା ବଢ଼ାଇଥିଲା। ତେବେ ଏଥର ସମ୍ଭାବ୍ୟ ଲଘୁଚାପ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବାର ଆକଳନ ରହିଥିବାରୁ ପ୍ରାରମ୍ଭିକ ଭାବେ ଦକ୍ଷିଣ ଭାରତରେ ବର୍ଷା ସମ୍ଭାବନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ, ସେନେଇ ଏବେ କୌଣସି ନିଶ୍ଚିତ ଆକଳନ କରିବା ଉଚିତ ନୁହେଁ। ସବୁଠୁ ବଡ଼ କଥା ହେଉଛି, ଏବେ କେବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ନିଶ୍ଚିତ ଭାବେ ଅବପାତ କିମ୍ବା ବାତ୍ୟାରେ ପରିଣତ ହେବ ବୋଲି କୁହାଯାଇପାରିବ ନାହିଁ ।

ଆଗାମୀ କିଛି ଦିନର ପାଣିପାଗ ତଥ୍ୟ ଏହାର ଗତିପଥ ଓ ସମ୍ଭାବ୍ୟ ପ୍ରଭାବକୁ ଅଧିକ ସ୍ପଷ୍ଟ କରିବ । ଅକ୍ଟୋବର ୨୮ରେ ଅତି ପ୍ରବଳ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା । ଏହାର କିଛି ଦିନ ପରେ ନଭେମ୍ବର ୩ରେ ପ୍ରବଳ ସାମୁଦ୍ରିକ ଝଡ଼ ‘ମୁରାସୁ’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା । ଅଳ୍ପ ବ୍ୟବଧାନରେ ଦୁଇଟି ବାତ୍ୟା ଉପକୂଳକୁ ପ୍ରଭାବିତ କରିବା ଏକ ବିରଳ ପାଣିପାଗ ଘଟଣା । ଏହି ଦୁଇ ବାତ୍ୟା ପରେ ପୁଣି ଏକ ନୂଆ ଲଘୁଚାପ ସମ୍ଭାବନା ଦେଖାଦେଇଥିବାରୁ ବଙ୍ଗୋପସାଗରର ପାଣିପାଗ ଉପରେ ନଜର ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ ୧୧ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୩ ବେଳକୁ ଲଘୁଚାପ ଏବଂ ୧୫ ବେଳକୁ ଅବପାତ ସୃଷ୍ଟିର ସମ୍ଭାବନା ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments