ରାଇକିଆ (03/06): ଭାରତୀୟ ଜନତା ପାର୍ଟି (ବିଜେପି) ରାଇକିଆ ମଣ୍ଡଳ ପକ୍ଷରୁ ରାଇକିଆସ୍ଥିତ ଦଳୀୟ କାର୍ଯ୍ୟାଳୟରେ କନ୍ଧମାଳ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ତରଣୀସେନ ପ୍ରଧାନଙ୍କୁ ଉତ୍ତରୀୟ ପ୍ରଦାନ କରି ଭବ୍ୟ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଜନଜାତି ସମାଜର ଉନ୍ନତି, ସଂଗଠନର ସୁଦୃଢ଼ୀକରଣ ଓ ଦଳୀୟ କାର୍ଯ୍ୟକଳାପକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ତାଙ୍କର ଅବଦାନକୁ ସ୍ମରଣ କରି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମୀ, ସମର୍ଥକ ଏବଂ ପଦାଧିକାରୀମାନେ ଯୋଗଦେଇ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉପସ୍ଥିତ ନେତୃବୃନ୍ଦ ତାଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହିତ ପୁଷ୍ପଗୁଚ୍ଛ ଅର୍ପଣ କରି ସମ୍ମାନିତ କରିଥିଲେ। ଏହି ଅବସରରେ ଦଳର ସାଂଗଠନିକ ସ୍ଥିତି, ଜନଜାତି ସମାଜର ବିଭିନ୍ନ ସମସ୍ୟା ଏବଂ ଆଗାମୀ ଦିନରେ ସଂଗଠନକୁ ଅଧିକ ସଶକ୍ତ କରିବା ନେଇ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର, ମଣ୍ଡାଶୁର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ଗୁରଦେବ ନାୟକ, ଉପସଭାପତି ଭକ୍ତରାଜ ପ୍ରଧାନ, ଘୁ. ଉଦୟଗିରିର ପୂର୍ବତନ ବିଧାୟକ ମନୋଜ କୁମାର ପ୍ରଧାନ,ମଣ୍ଡାଶୁର ମଣ୍ଡଳ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନ, ନାରାୟଣ ପାତ୍ର, ରାଇକିଆ ମଣ୍ଡଳ ସମ୍ପାଦକ ସନକ ଦିଗଳ ଓ ରାଜମୋହନ ଦିଗଳଙ୍କ ସମେତ ଅନେକ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ବକ୍ତାମାନେ କହିଥିଲେ ଯେ ଜନଜାତି ସମାଜର ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସମାଜର ପ୍ରତ୍ୟେକ ବର୍ଗକୁ ସଂଗଠନ ସହିତ ଯୋଡ଼ିବା ଦିଗରେ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡ଼ିବ। ସେମାନେ ଶ୍ରୀ ତରଣୀସେନ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାରେ ଜନଜାତି ମୋର୍ଚ୍ଚା ଅଧିକ ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ତରଣୀସେନ ପ୍ରଧାନ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ ଦଳ ତାଙ୍କ ଉପରେ ଯେଉଁ ଦାୟିତ୍ୱ ଅର୍ପଣ କରିଛି, ତାହାକୁ ସଫଳ ଭାବେ ପାଳନ କରିବା ସହିତ ଜନଜାତି ସମାଜର ସମସ୍ୟା ଓ ଅଧିକାର ପାଇଁ ସଦା କାର୍ଯ୍ୟ କରିବେ। ଆଗାମୀ ଦିନରେ ସଂଗଠନକୁ ଆହୁରି ମଜବୁତ କରିବା ଓ ଯୁବପିଢ଼ୀଙ୍କୁ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଯୋଡ଼ିବା ପାଇଁ ବିଶେଷ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଶ୍ରୀ ତରଣୀସେନ ପ୍ରଧାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ କାମନା କରିଥିଲେ।

