ବାଲିଆପାଳ, (୦୬/୧୧) : ଆପ୍ର : ଭିଜିଲାନ୍ସ ଜାଲରେ ବାଲିଆପାଳ ସବ ରେଜିଷ୍ଟ୍ରାର୍ । ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଜମି ରେଜେଷ୍ଟ୍ରି କରିବା ପାଇଁ ସବରେଜିଷ୍ଟ୍ରାର ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ବାରିପଦା ଭିଜିଲାନ୍ସ ବିଭାଗର ୧୧ଜଣିଆ ଟିମ ଚଢ଼ଉ କରି ଟଙ୍କା ଜବଦ କରିବା ସହ ବାଲିଆପାଳ ସବ ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଅଟକ ରଖିଛି । ଅଭିଯୋଗ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ ରେଜିଷ୍ଟ୍ରାର ଅଫିସରେ ସବ ରେଜିଷ୍ଟ୍ରାର ମନୀଷା ମିଶ୍ର ୮ ମାସ ହେବ ବାଲିଆପାଳ ଅଫିସରେ କାର୍ଯ୍ଯରତ ଥିଲେ । ସେ ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।
ଆଜି ବାଲିଆପାଳ ଅଂଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର ଜମିର ରେଜେଷ୍ଟ୍ରି କରିବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୭ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ଏନେଇ ଜ୍ଞାନ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ । ଆଜି ମଧ୍ଯାହ୍ନ ୧୨ଟା ବେଳେ ଜ୍ଞାନ ୭ହଜାର ଟଙ୍କା ନେଇ ସବ ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ । ଟଙ୍କା ଦେବା ବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୧୧ ଜଣିଆ ମନିଷାଙ୍କୁ ଧରିଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି ।

