ବାଲିଗୁଡା, (୧୬/୮) : ଆପ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନା ର ସହ ମହାସମାରୋହ ପାଳନ ହୋଇଯାଇଛି ।
ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୭ ଘଣ୍ଟା ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ,ନେହେରୁ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ସ୍ଥାନୀୟ ବିଜୁ ପଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ ଉପ ଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି ଶ୍ରୀମତୀ ପ୍ରଣୀତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଦେଶ ସ୍ଵାଧୀନ ପାଇଁ ବଳିଦାନ ହୋଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜାତି ଉଦ୍ଦେଶ୍ୟରେ ରେ ଅଭିଭାଷଣ ପ୍ରଦାନ କରିଥିଲେ ।
ପରେ ପରେ ବିଭିନ୍ନ ପେରେଡ ଓ ପ୍ରତିଯୋଗିତାରେ କୃତକାର୍ଯ୍ୟ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ପରେ ଉପଖଣ୍ଡ ଚିକିତ୍ସାଳୟ ଠାରେ ଅନ୍ତଃରୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଫଳ ବଣ୍ଟନ, ସ୍ଥାନୀୟ କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ ଓ ଜରା ନିବାସ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ସ୍ଵାଧୀନତା କପ୍ ଫୁଟବଲ୍ ଚାମ୍ପିୟାନ୍ ସିପ୍ର ଫାଇନାଲ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସମ୍ପାଦକ ଶିବ ଶଙ୍କର ସମରଥ ପରିଚାଳନା କରିଥିବା ବେଳେ ଅଭିମନ୍ୟୁ ପ୍ରଧାନ, ତୀର୍ଥବାସୀ ଘଡେ଼ଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ପରିଚାଳନାରେ ସହଯୋଗ କରିଥିଲେ ।



