ବୋରିଗୁମ୍ମା, (୧୫/୦୮) : ଆପ୍ର : ବୋରିଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିମୟୀ ନାୟକ ଆଜି ସ୍ଵାଧୀନତା ଦିବସ ସମାରୋହରେ ଯୋଗଦାନ କରି ଉପସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅନ୍ୟାନ୍ୟ ସମବେତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ସେହିପରି ଉପସ୍ଥିତ ଭାଜପା କର୍ମକର୍ତ୍ତାଙ୍କ ଗହଣରେ ବୋରିଗୁମ୍ମା ମଣ୍ଡଳ ସଭାପତି ବିଘ୍ନେଶ୍ୱର ଷଡ଼ଙ୍ଗୀ ପତାକା ଉତ୍ତୋଳନ କରିଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ପତାକା ଉତ୍ତୋଳନ କରାଯାଇ ଥିବା ବେଳେ ବିସିଂହପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କମିଟି ସଭାପତି ଗୌରୀଶଙ୍କର ଦାଶ ଓ ପୋଡ଼ାପଦର ପ୍ରାଥମିକ ବିଦ୍ୟାଳୟ ରେ କମିଟି ସଭାପତି ସୁଶୀଳ କୁମାର ଷଡ଼ଙ୍ଗୀ ପତାକା ଉତ୍ତୋଳନ କରିଥିବା ଜଣା ପଡ଼ିଛି । ବରିଷ୍ଠ ସାମ୍ବାଦିକ, ତଥା ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବୋରିଗୁମ୍ମା ବ୍ଲକ୍ ସଭାପତି ରବିଶଙ୍କର ମହାପାତ୍ର ଛାତ୍ରୀଛାତ୍ରଙ୍କୁ ଉଦ୍ବୋଧନ ଦେଇଥିବା ଜଣାପଡ଼ିଛି ।
ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭଗବାନ ମଣ୍ଡଳଙ୍କ ଉଦ୍ୟମରେ ତଥା କ୍ରୀଡ଼ା ଶିକ୍ଷକ ମନୋଜ କୁମାର ମିଶ୍ରଙ୍କ ମଞ୍ଚ ପରିଚାଳନାରେ ଦେଶାତ୍ମ ବୋଧକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ପ୍ରାଥମିକ ବିଦ୍ୟାଳୟରେ ବର୍ଷୀୟାନ୍ ଆକାଶବାଣୀ କଳାକାର ତଥା ଶିକ୍ଷାବିତ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର,ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବର୍ଷୀୟାନ କଳାକାର ସୀମାଞ୍ଚଳ ମିଶ୍ର, ଶିକ୍ଷାବିତ ଗୋପାଳ କୃଷ୍ଣ ଭଟ୍ଟ ପ୍ରମୁଖଙ୍କ ଉପସ୍ଥିତି ଛାତ୍ରୀଛାତ୍ରଙ୍କ ମନରେ ଦେଶପ୍ରେମ ଓ ଉତ୍ସାହ ଭରି ଦେଇଥିବା ଜଣାପଡ଼ିଛି ।

