ଦଶପଲ୍ଲା, (୦୯/୧୧) : ଆପ୍ର : ଆଲୋକର ପର୍ବ ‘ଦୀପାବଳି’ ପାଇଁ ଭାରତର ଗାଁ’ରୁ ସହର ଯାଏଁ ଉତ୍ସବମୁଖର ହୋଇ ଉଠିଛି ।
ଓଡ଼ିଶାରେ ମଧ୍ୟ ଦୀପାବଳି ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଦେଖାଯାଇଛି । ଏହି ସମୟରେ ଏକ ଅଭାବନୀୟ ଘଟଣାର ସାମ୍ନା କରି ଦୁର୍ଘଟଣାରେ ୩ଜଣଙ୍କର ଜୀବନ ଦୀପ ଲିଭି ଯାଇଛି । ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅଧୀନ ଘଞ୍ଚ ଜଙ୍ଗଲ ଦେଇଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଆଜି ଅପରାହ୍ଣରେ ଭୁବନେଶ୍ବରରୁ ଆମ୍ବୁଲାନ୍ସଟି ଏକ ରୋଗୀଙ୍କୁ ନେଇ ୫୭ ନମ୍ବର ଜାତୀୟ ରାଜପଥରେ ଆଗକୁ ବଢୁଥିଲା । ଆମ୍ବାଲାନ୍ସଟି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳକୁ ଯାଉଥିଲା । ଏଥିରେ ଈଶ୍ବର ସାହୁଙ୍କର ମୃତଦେହ ଥିଲା । ଈଶ୍ବରଙ୍କର ସଂପର୍କୀୟମାନେ ଆମ୍ବୁଲାନ୍ସ ଭିତରେ ଥିଲେ । ତେବେ ବାଣୀଗୋଛା ଥାନା ନିକଟ ଶାଳଭଙ୍ଗା ଜଙ୍ଗଲରେ ଏକ କଲର୍ଭଟ ଉପରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇଥିଲା । ଦ୍ରୁତଗତିରେ ଥିବା ଗାଡ଼ିର ଚାଳକ ଏକ କଲଭର୍ଟ କୁ ଧକ୍କା ଦେଇଥିଲେ ।
ଦୁର୍ଘଟଣାର ଶିକାର ହେଲା ପରେ ଏଥିରେ ଥିବା ଲୋକମାନେ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପ ବାଗ, ଶୀର୍ଷ ବାଗଙ୍କ ସମେତ ମୋଟ୍ ୩ଜଣଙ୍କର ମୃତ୍ୟୁ ଘଟିଛି । ଈଶ୍ବର ସାହୁଙ୍କ ପୁଅ ରାଜୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

