Homebreaking newsକ୍ୟାପିଟାଲ ହସ୍ପିଟାଲ, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

କ୍ୟାପିଟାଲ ହସ୍ପିଟାଲ, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର, (୧୭/୦୮) : ଆପ୍ର : କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର । ୩୦ ହଜାର ଟଙ୍କା ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ଅଭିଯୋଗ । ଏକ ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଥିବା ସୂଚନା । କ୍ୟାପିଟାଲ ହସ୍ପିଟାଲର କାଜୁଆଲଟିକୁ ଚିକିତ୍ସା ପାଇଁ ଆସୁଥିବା ଅଜଣା ଓ ଅସହାୟ ରୋଗୀଙ୍କୁ ସହାୟତା କରିବା ପାଇଁ ଏକ ଏନଜିଓକୁ ନିୟୋଜିତ କରାଯାଇଥିଲା ।

ଏହି କାମରେ ଏନଜିଓ ପକ୍ଷରୁ କର୍ମଚାରୀମାନେ ନିୟୋଜିତ ଥିଲେ। ଏହି କର୍ମଚାରୀଙ୍କ ଜୁନ୍ ଓ ଜୁଲାଇ ୨ ମାସର ଦରମା ବିଲ୍ ପାସ୍ କରାଇବା ପାଇଁ ଆବଶ୍ୟକ ୱାର୍କ ସାର୍ଟିଫିକେଟ୍ ରେ ଡାକ୍ତର ବେହେରାଙ୍କ ଦସ୍ତଖତ ଆବଶ୍ୟକ ଥିଲା। ଅଭିଯୋଗ ଅନୁସାରେ, ଏନଜିଓର ଜଣେ କର୍ମକର୍ତ୍ତା ଗତ ଜୁନ୍ ମାସରୁ ଏଥିପାଇଁ ଡାକ୍ତର ବେହେରାଙ୍କୁ ଅନୁରୋଧ କରିଆସୁଥିଲେ । ତେବେ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବା ବଦଳରେ ଡାକ୍ତର ବେହେରା ୩୦ ହଜାର ଟଙ୍କା ଦାବି କରିଥିବା ଭିଜିଲାନ୍ସ ଅଭିଯୋଗ କରିଛି । ବାରମ୍ବାର ଲାଞ୍ଚ ଦାବି ଓ ହଇରାଣ ହେବା ପରେ ସମ୍ପୃକ୍ତ ଏନଜିଓ କର୍ମକର୍ତ୍ତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା। ଆଜି ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା କହିଛି ।

ତାଙ୍କ ନିକଟରୁ ଲାଞ୍ଚ ବାବଦରେ ଦିଆଯାଇଥିବା ସମ୍ପୂର୍ଣ୍ଣ ୩୦ ହଜାର ଟଙ୍କା ଜବତ କରାଯାଇଛି।ଟ୍ରାପ୍ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦିଗକୁ ମଧ୍ୟ ଭିଜିଲାନ୍ସ ତଦନ୍ତ ବଢ଼ାଇଛି। ଡାକ୍ତର ବେହେରାଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ତଲାସି ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments