ସମ୍ବଲପୁର, (୦୭/୦୭) : ଆପ୍ର : ଲଗାଣ ବର୍ଷାରେ ସମ୍ବଲପୁରର ହାଲ୍ ବେହାଲ । ସମ୍ବଲପୁରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ, ନାଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି ।
ଏହାରି ମଧ୍ୟରେ ହୀରାକୁଦରୁ ଡ୍ୟାମ୍ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି । ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଗୁରୁବାର ଦିନ ୧୧ଟାରେ ଡ୍ୟାମ୍ର ଗେଟ୍ ଖୋଲାଯିବ, ତେଣୁ ମହାନଦୀ ତଳିଆ ଅଞ୍ଚଳରେ ସତର୍କ ରହିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।
ସୂଚନାଥାଉକି, ଏପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମ ଅଂଚଳରେ ୨୨୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଧନକଉଡ଼ା ବ୍ଲକରେ ୨୨୦ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ରେଙ୍ଗାଲି ଅଂଚଳରେ ୧୬୦ ମିମି ଓ ମାନେଶ୍ବର ୧୨୩ ମିମି ବର୍ଷା ହୋଇଛି । ଯାହା ଫଳରେ ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ସ୍ଥିତି ବେହାଲ ହୋଇଛି । ସେପଟେ ଲଗାଣ ବର୍ଷା ଫଳରେ ପିଲାକନ୍ଦେଇପଡ଼ା, ପୁଟିବନ୍ଦ, ମଣ୍ଡଳିଆ, ସରସ୍ବତୀ ବିହାରରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୨୬୮ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଥିବାବେଳେ ରିଲିଫ ପ୍ରଦାନ କରାଯାଇଛି ।

