Homelocalରାୟଗଡ଼ ପୌରପରିଷଦରେ ବେଲଗୁଣ୍ଠା ଏନ୍.ଏ.ସି. ପ୍ରତିନିଧି ଦଳର ଏକ୍ସପୋଜର ଭିଜିଟ୍ : କଠିନ ବର୍ଜ୍ୟବସ୍ତୁ ପରିଚାଳନା...

ରାୟଗଡ଼ ପୌରପରିଷଦରେ ବେଲଗୁଣ୍ଠା ଏନ୍.ଏ.ସି. ପ୍ରତିନିଧି ଦଳର ଏକ୍ସପୋଜର ଭିଜିଟ୍ : କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ବ୍ୟବସ୍ଥାର ଅନୁଧ୍ୟାନ

ରାୟଗଡା, (୦୮/୦୭) : ଆପ୍ର : ଆଜି ବେଲଗୁଣ୍ଠା ଏନ୍.ଏ.ସି.ର ଅଧ୍ୟକ୍ଷଙ୍କ ନେତୃତ୍ୱରେ ୧୩ ଜଣ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସାନିଟେସନ କର୍ମଚାରୀଙ୍କ ଏକ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦକୁ ଏକ ଏକ୍ସପୋଜର ଭିଜିଟ୍‌ରେ ଆସିଥିଲେ ।

ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା ରାୟଗଡ଼ ପୌରପରିଷଦରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା ବ୍ୟବସ୍ଥା ଏବଂ ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା । ରାୟଗଡା ପୌରପରିଷଦରେ ପହଞ୍ଚିବା ପରେ ପ୍ରତିନିଧି ଦଳକୁ ପୌରାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଏବଂ ସମସ୍ତ କାଉନସିଲରମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଷ୍ମ ସ୍ୱାଗତ ଜଣାଇଥିଲେ । ପରବର୍ତ୍ତୀ ସମୟରେ ପୌରପରିଷଦର ପରିଷଦ ଗୃହରେ ଏକ ସ୍ୱାଗତ ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ରାୟଗଡ଼ ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ନାଗରିକ ସେବା ଏବଂ ସୃଷ୍ଟି କରାଯାଇଥିବା ବିଭିନ୍ନ ସମ୍ପତ୍ତି ସମ୍ପର୍କରେ ଏକ ପ୍ରାମାଣିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

ପରେ ପ୍ରତିନିଧି ଦଳ ୱାର୍ଡ ନଂ–୩, ପି.ଏଚ୍.ଡି. କଲୋନୀଠାରେ ନବପ୍ରତିଷ୍ଠିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ମାଟେରିଆଲ ରିକଭରି ଫେସିଲିଟି ପରିଦର୍ଶନ କରିଥିଲେ । ସେଠାରେ ଘରୋଇ ବର୍ଜ୍ୟବସ୍ତୁରୁ ଜୈବ ସାର ପ୍ରସ୍ତୁତି ପ୍ରକ୍ରିୟା, ବର୍ଜ୍ୟବସ୍ତୁ ପୃଥକୀକରଣ, ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀର ସଂଗ୍ରହ ଓ ପରିଚାଳନା ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହୋଇଥିଲେ।ଏହାପରେ ପ୍ରତିନିଧି ଦଳ ଆହାର କେନ୍ଦ୍ର, ଗାନ୍ଧୀ ପାର୍କ ,ପୌର ଅଡିଟୋରିୟମ୍, ୱେଷ୍ଟ ଟୁ ୱଣ୍ଡର ପାର୍କ, ନିର୍ମାଣ ଓ ଭଙ୍ଗା ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଫିକାଲ୍ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ୱାର୍ଡ ନଂ–୧୧, ଅନ୍ତରିଗୁଡାସ୍ଥିତ ‘ମୋ ବଗିଚା’ ପରିଦର୍ଶନ କରି ସେଠାରେ ଚାଲୁଥିବା କାର୍ଯ୍ୟପ୍ରଣାଳୀ ଓ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ।

ପରିଦର୍ଶନ ପରେ ସମସ୍ତ ପ୍ରତିନିଧିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଶେଷରେ ବେଲଗୁଣ୍ଠା ଏନ୍.ଏ.ସି.ର ନିର୍ବାହୀ ଅଧିକାରୀ ଏବଂ ସାନିଟେସନ କର୍ମଚାରୀମାନେ ରାୟଗଡ଼ ପୌରପରିଷଦର ସୁସଂଗଠିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଅଳିଆ ଆବର୍ଜନାରୁ ଉନ୍ନତମାନର କମ୍ପୋଷ୍ଟ ସାର ପ୍ରସ୍ତୁତି ପ୍ରକ୍ରିୟା ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ସେମାନେ ମତ ପ୍ରକାଶ କରିଥିଲେ ଯେ, ଏହି ଏକ୍ସପୋଜର ଭିଜିଟ୍‌ରୁ ମିଳିଥିବା ଅଭିଜ୍ଞତା ବେଲଗୁଣ୍ଠା ଏନ୍.ଏ.ସି.ରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଫଳପ୍ରଦ କରିବାରେ ନିଶ୍ଚିତ ଭାବେ ସହାୟକ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments