ଭୁବନେଶ୍ବର, (୦୭/୦୯) : ଆପ୍ର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ରାସ୍ତା ପାର୍ ବେଳେ ଧକ୍କା ଦେଲା ଦ୍ରୁତଗାମୀ କାର୍ ।
ଭୁବନେଶ୍ବର ବରମୁଣ୍ଡା କାଳୀ ମନ୍ଦିର ପାଖରେ ଦୁର୍ଘଟଣା । ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ରହିଛି । ସୂଚନା ଅନୁସାରେ, ଯୁବକ ଜଣକ ରାସ୍ତା ପାର୍ ହେଉଥିବା ସମୟରେ ହଠାତ୍ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍ଦାର ଥିଲା ଯେ, ଯୁବକ ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଦୁର୍ଘଟଣାରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍କୁ ପଠାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା କାର୍ ଘଟଣାସ୍ଥଳରୁ ପଳାଇ ଯାଇଥିବାରୁ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । କାରଟିର ନମ୍ବର କିମ୍ବା ଅନ୍ୟ କୌଣସି ପରିଚୟ ମିଳିଲେ ଖୁବଶୀଘ୍ର ଗାଡ଼ି ଓ ଚାଳକଙ୍କୁ ଠାବ କରାଯିବ ବୋଲି ପୋଲିସ ଆଶା ରଖିଛି ।

