ପୁରୀ, (୧୫/୦୭) : ଆପ୍ର : ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ଓଡ଼ିଶା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ଓ ଜନଗହଳି ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି, ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ । ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ସହରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି । ୧୨,୦୦୦ ପୋଲିସ କର୍ମଚାରୀ: ଗତବର୍ଷ ତୁଳନାରେ ଏଥର ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ଏହା ସହ ୧୯ ଜଣ ବରିଷ୍ଠ IPS ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଜନଗହଳି ଏବଂ ଜରୁରୀକାଳୀନ ପରିସ୍ଥିତିର ପରିଚାଳନା ପାଇଁ ବହୁ ସଂଖ୍ୟାରେ OAS ଅଧିକାରୀଙ୍କୁ OSD ଭାବେ ନିଯୁକ୍ତ କରାଯାଇଛି । ମନ୍ଦିର ସୁରକ୍ଷା, ଟ୍ରାଫିକ, ପାର୍କିଂ, ରେଳବାଇ ଏବଂ ଉପକୂଳ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।
ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ କେନ୍ଦ୍ରୀୟ ସୁରକ୍ଷା ବଳ (CAPF) ର ୧୫ଟି କମ୍ପାନୀ (CRPF, BSF, RAF) ନିୟୋଜିତ ହୋଇଛନ୍ତି । ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ ସହ NSG ବ୍ଲାକ୍ କ୍ୟାଟ୍ କମାଣ୍ଡୋ, SOG ଏବଂ ସ୍ୱତନ୍ତ୍ର ଟାକ୍ଟିକାଲ୍ ୟୁନିଟ୍ (STU) କୁ ହାଇ-ଆଲର୍ଟରେ ରଖାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ନିଫର୍ ଡଗ୍ ସ୍କ୍ୱାଡ୍ ମଧ୍ୟ ସଜାଗ ଅଛନ୍ତି। ଜୁଲାଇ ୧୬ ରୁ ୨୭ ପର୍ଯ୍ୟନ୍ତ ପୁରୀ ସହରର ୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ “ନୋ-ଫ୍ଲାଇ ଜୋନ୍” ଘୋଷଣା କରାଯାଇଛି । ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇବା ସମ୍ପୂର୍ଣ୍ଣ ନିଷେଧ ।
ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନଜର ରଖିବାକୁ ୪୭୫ଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି । ଭାରତୀୟ ନୌସେନା (Navy), କୋଷ୍ଟଗାର୍ଡ ଏବଂ ମେରାଇନ୍ ପୋଲିସ ମିଳିତ ଭାବେ ସମୁଦ୍ର ପଥରେ ପାଟ୍ରୋଲିଂ କରୁଛନ୍ତି । ଆକାଶମାର୍ଗରୁ କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ନଜର ରଖାଯିବ ।
ଗତବର୍ଷ ଗୁଣ୍ଡିଚା ମନ୍ଦିର ନିକଟରେ ହୋଇଥିବା ପରିସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ସ୍ୱତନ୍ତ୍ର ବ୍ୟାରିକେଡ୍ ଏବଂ ୱାନ୍-ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଗାଡ଼ି ପାର୍କିଂ ପାଇଁ କଲର୍-କୋଡେଡ୍ ଜୋନ୍ ନିର୍ମାଣ ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ୮ଟି ଅସ୍ଥାୟୀ ଡାକ୍ତରଖାନା ଏବଂ ୩୫ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଏହା ସହିତ ପାନୀୟ ଜଳ ଏବଂ LED ସ୍କ୍ରିନ୍ ମଧ୍ୟ ଲଗାଯାଇଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଏବଂ ଗହଳି ସ୍ଥାନରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

