ସୁବର୍ଣ୍ଣପୁର, (୨୦/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଜନଗଣନା – ୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପୁରୁଣା ମେଡିକାଲ୍ ସଭାଗୃହ ଠାରେ ଆରମ୍ଭ ହୋଇଯାଇଛି ।
୧୮ ତାରିଖରୁ ୨୦ ତାରିଖ ତିନି ଦିନ ଯାଏଁ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସରେ ପହଞ୍ଚିଥିଲେ ସମ୍ବଲପୁର ରାଜସ୍ୱ ମଣ୍ଡଳ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର । ଜନଗଣନା କାର୍ଯ୍ୟକଳାପ, ଉଦ୍ଦେଶ୍ୟ, ବ୍ରିଟିଶ ସମୟରୁ ଜନଗଣନାର ଇତିହାସ ଏବଂ ଏହି ସେନ୍ସସ କେତେ ଗୁରୁତ୍ୱ ତା ଉପରେ ଶ୍ରୀ ମହାପାତ୍ର ବୁଝାଇଥିଲେ । ଜିଲ୍ଲାର ସମସ୍ତ ଚାର୍ଜରୁ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକ ତାଲିମ୍ କେନ୍ଦ୍ରରେ ଯୋଗ ଦେଇଥିଲେ । ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଭାବେ ସୋନପୁର ଉପଜିଲ୍ଲାପାଳ ଡଃ. ସୌମ୍ୟାରୂପା ରଥ ଓ ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ, ତହସିଲଦାର, ବୀରମହାରାଜପୁର ଏହି ତାଲିମ୍ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନ ଉତ୍ତର ମାଧ୍ୟମରେ ଖୁବ୍ ସୁନ୍ଦର ଭାବେ ତାଲିମ୍ ପ୍ରଦାନ କରୁଛନ୍ତି ।
ତ୍ରୁଟି ଶୂନ୍ୟ ଭାବେ ଆତ୍ମ ବିଶ୍ୱାସର ସହ କାମ କରିବେ କ୍ଷେତ୍ର ପ୍ରଶିକ୍ଷକ ବୋଲି ଉପଜିଲ୍ଲାପାଳ ଡଃ. ରଥ ମତ ରଖି ପ୍ରଥମେ ସ୍ଵ-ଗଣନା ହେବ ଜାନୁଆରୀ ୧୦ ରୁ ୨୪ ଯାଏଁ ୧୬୦୦ ଏନୁମେରେଟର ବ୍ଲକକୁ ଯିବେ ଓ ଜାନୁୟାରୀ ୨୫ ରୁ ୨୮ ଯାଏଁ ଏନୁମିନେଟର ଘରକୁ ଘର ବୁଲି ଜନଗଣନା କରିବେ ବୋଲି କହିଥିଲେ । ୨୦୧୧ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜନଗଣନା ହୋଇପାରିନାହିଁ ଏଣୁ ପ୍ରଥମ ଥର ପାଇଁ ଜାତି ଗଣନା କରାଯାଇଛି, ଯାହା ଦ୍ଵାରା କି ଜାତିଗତ ଓ ଭାଷାଗତ ଚିହ୍ନଟ ହୋଇପାରିବ ବୋଲି ଡଃ. ରଥ ମିଡିଆଙ୍କୁ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ସହକାରୀ ଜିଲ୍ଲାପାଳ, ଜନଗଣନା ଶାଖା ଆଜାଦ୍ କୁମାର ସାହୁ, ଜନଗଣନା ନିର୍ଦ୍ଦେଶାଳୟରୁ ନିଯୁକ୍ତ ଜିଲ୍ଲା କୋଡ଼ିନେଟର ଶିଭମ ଜୟସ୍ୱାଲ, ଆକାଶ ସାହୁ, ସମସ୍ତ ଚାର୍ଜ ଅଫିସର, ଫିଲ୍ଡ ଟ୍ରେନର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଫିଲ୍ଡ ଟ୍ରେନର ମାନଙ୍କୁ ଏନୁମେରେଟର ଓ ସୁପରଭାଇଜର ମାନଙ୍କୁ କିପରି କାର୍ଯ୍ୟ କରିବାକୁ ହେବ ସେହି ପ୍ରଣାଳୀ ସମ୍ପର୍କରେ ତାଲିମ୍ ପ୍ରଶିକ୍ଷଣ ଦିଆଯାଇଛି ।

