ମାଲକାନଗିରି, (୨୭/୦୮) : ଆପ୍ର : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଧରି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଏବେ ଦ୍ରୁତ ଯୋଗାଯୋଗର ନୂଆ ଯୁଗକୁ ପ୍ରବେଶ କରିବାକୁ ଯାଉଛି ।
ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରି-ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ନେଇ ସୂଚନା ମିଳିଛି । ଯାତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ଶଯ୍ୟା ବିଶିଷ୍ଟ ବିମାନ ସେବା ଆରମ୍ଭ ହେବ । ଏଥିପାଇଁ ଟିକଟ୍ ବୁକିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ୍ ଖୁବ୍ଶୀଘ୍ର ଉପଲବ୍ଧ ହେବ । ବିମାନ ସେବା ଆରମ୍ଭ ହେଲେ ଯାତ୍ରୀ ଅତି କମ୍ ସମୟରେ
ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିପାରିବେ । ରୋଗୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସରକାରୀ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିଶେଷ ସହାୟକ ହେବ ।
ଅନ୍ୟପକ୍ଷରେ, ଏହି ସେବା ମାଲକାନଗିରିର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ନେଇ ଆଶା ବଢ଼ିଛି । ଚିତ୍ରକୋଣ୍ଡା ଜଳଭଣ୍ଡାର, ବାଲିମେଳା ଓ ଜିଲାର ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ଅଧିକ ସହଜରେ ଉପଲବ୍ଧ ହେବ । ସ୍ଥାନୀୟ ବ୍ୟବସାୟ, ହୋଟେଲ ଓ ପରିବହନ କ୍ଷେତ୍ରରେ ରୋଜଗାର ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ଏହି ପଦକ୍ଷେପ ମାଲକାନଗିରି ବିକାଶ ଯାତ୍ରାର ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କୁହାଯାଉଛି । ଆକାଶ ପଥ ସହ ଜିଲ୍ଲାର ସଂଯୋଗ କେବଳ ଯାତାୟାତର ସୁବିଧା ନୁହେଁ, ବରଂ ଉନ୍ନତି ଓ ସମୃଦ୍ଧିର ନୂଆ ଦ୍ୱାର ଖୋଲିବାର ସଙ୍କେତ ବୋଲି ଆଲୋଚନା ହେଉଛି ।

