ନୂଆପଡ଼ା, (୨୭/୧୦) : ଆପ୍ର : ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍ ଅନ୍ତର୍ଗତ କର୍ଲାକୋଟ୍ ଗ୍ରାମପଞ୍ଚାୟତର କର୍ଲାକୋଟ୍ ମାଝୀପଡ଼ା ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି ।
ଗ୍ରାମରେ ଥିବା ଏକମାତ୍ର ନଳକୂପଟି ଦୀର୍ଘ ୪ ମାସ ହେବ ଅଚଳ ହୋଇ ପଡ଼ିରହିଥିଲେ ହେଁ ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନେଇ ନଥିବା ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣିର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଏକ ଅସୁରକ୍ଷିତ ଓ ଦୂଷିତ କୁଅଁର ପାଣି ବ୍ୟବହାର କରୁଛନ୍ତି । ଏହି ଦୂଷିତ ଜଳ ପିଇବା ଦ୍ୱାରା ଗ୍ରାମରେ ବିଭିନ୍ନ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି । ଗ୍ରାମବାସୀ ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଜଳଜୀବନ ମିଶନ ଏବଂ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଅଚଳ ନଳକୂପଟିକୁ ମରାମତି କରିବାକୁ କିମ୍ବା ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରିବାକୁ ମାଝୀପଡ଼ାର ଜନସାଧାରଣ ଦାବି ଜଣାଇଛନ୍ତି ।

