ବଲାଙ୍ଗିର, (୨୭/୧୦) : ଆପ୍ର : ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବଲାଙ୍ଗିର ଜିଲ୍ଲାରେ ଘରକୁ ଘର ବୁଲି ଭୋଟର ତାଲିକା ସର୍ବେକ୍ଷଣ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି ।
ଏହି ଅଭିଯାନର ବ୍ୟାପକ ପ୍ରଚାରପ୍ରସାର ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାର ସଚେତନତା ଗାଡ଼ିର ଶୁଭାରମ୍ଭ କରିଛନ୍ତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାକୁ ନିର୍ଭୁଲ, ସଠିକ୍ ଓ ଅଦ୍ୟତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକ୍ରିୟାରେ ଘରକୁ ଘର ଯାଇ ଭୋଟରଙ୍କ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବା ସହ ଯୋଗ୍ୟ ନାଗରିକଙ୍କ ନାମ ତାଲିକାରେ ସାମିଲ କରାଯିବ ଏବଂ ଆବଶ୍ୟକ ସଂଶୋଧନ ପାଇଁ ପଦକ୍ଷେପ ନିଆଯିବ । ଏହାଦ୍ୱାରା ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ବ୍ୟବସ୍ଥିତ ହୋଇପାରିବ ।
ଏହି ସର୍ବେକ୍ଷଣ କାର୍ଯ୍ୟ ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ସଫଳ ରୂପାୟନ ପାଇଁ ପୂର୍ବରୁ ବଲାଙ୍ଗିର, ପାଟଣାଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡରେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ବ୍ଲକସ୍ତରରେ ବୁଥ୍ ସ୍ତରୀୟ ଟିମ୍ଗୁଡ଼ିକୁ ତାଲିମ ପ୍ରଦାନ କରି ସର୍ବେକ୍ଷଣ କାର୍ୟ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମାରୀମାନେ ଉପସ୍ଥିତ ଥିଲେ । ଭୋଟର ତାଲିକାକୁ ତ୍ରୁଟିମୁକ୍ତ କରିବା ଦିଗରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜିଲ୍ଲା ପ୍ରସାଶନ ପକ୍ଷରୁ ମତ ପ୍ରକାଶ ପାଇଛି ।

