ସମ୍ବଲପୁର // ବୁର୍ଲା, (୨୧/୦୬) : ଆପ୍ର : ବୁର୍ଲା ସହରର ଭିସୁଟ ଛାତ୍ରୀନିବାସ ସମ୍ମୁଖ ପାଣିଟାଙ୍କିରେ ପଡିଯାଇ ଜନସ୍ୱାସ୍ଥ୍ୟ ବିଭାଗର ଦୈନିକ ମଜୁରିଆ କର୍ମଚାରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।
ତେବେ ମୃତ କର୍ମଚାରୀ ଜଣକ ହେଲେ ବୁର୍ଲା ୱାନଆର କଲୋନୀ ନିକଟ କେନାଲ ପଡା ନିବାସୀ ଦେବରାଜ ସାମଲଙ୍କ ୪୦ ବର୍ଷୀୟ ପୁଅ ଅଭିମନ୍ୟୁ ସାମଲ । ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ବୁର୍ଲା ଭିସୁଟ ଛାତ୍ରୀନିବାସ ସମ୍ମୁଖରେ ରହିଛି ବୁର୍ଲା ପାନୀୟ ଜଳ ଯୋଗାଣ ବିଭାଗ ବା ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ କାର୍ଯ୍ୟାଳୟ । ତେବେ ଆଜି ଅଭିମନ୍ୟୁ ତାଙ୍କର ଡ୍ୟୁଟି କରୁଥିବା ସମୟରେ ପାଣିଟାଙ୍କି ଉପରେ ଘୋଡ଼ା ହୋଇଥିବା ସ୍ଲାବ ଉପରେ କୌଣ୍ଡି କାମକୁ ନେଇ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ସ୍ଲାବଟି ଭାଙ୍ଗିଯାଇଥିଲା ।
ଫଳରେ ଅଭିମନ୍ୟୁ ଉକ୍ତ ପାଣି ଟାଙ୍କୀ ମଧ୍ୟରେ ଖସି ପଡିଥିଲେ। ଫଳରେ ପାଣିରେ ହିଁ ବୁଡ଼ିଯାଇ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ମାତ୍ର ଅନେକ ସମୟ ପର୍ଯ୍ୟନ୍ତ ଅଭିମନ୍ୟୁଙ୍କ ମୃତ୍ୟୁ ସମ୍ପର୍କରେ ଜଣା ପଡି ନ ଥିଲା। ପରେ ସେ ନ ଆସିବାରୁ ତାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କର ଶରୀର ଟାଙ୍କି ମଧ୍ୟରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୁଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଶବକୁ ଟାଙ୍କି ମଧ୍ୟରୁ ଉଦ୍ଧାର କରାଯାଇଥିଲା ।
ମାତ୍ର ପାଣି ଟାଙ୍କି ଉପରେ ରହୁଥିବା କଂକ୍ରିଟ ସ୍ଲାବ ମାନ ପୁରାତନ ହୋଇ ଯାଇଥିବା ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଥିଲା । ତେବେ ଅଭିମନ୍ୟୁ ମୃତ୍ୟୁ ପରେ ସେଠାରେ ଏକ ପରିବାର ବର୍ଗ ସହିତ ସ୍ଥାନୀୟ ବାସିନ୍ଦା ରୁଣ୍ଡ ହୋଇ ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ସହିତ ଅଭିମନ୍ୟୁଙ୍କ ମୃତ୍ୟୁ ପାଇଁ କ୍ଷତିପୁରଣ ଏବଂ ପରିବାର ବର୍ଗଙ୍କ ପାଇଁ ଚାକିରି ପ୍ରଦାନ ପାଇଁ ଦାବି ଉପସ୍ଥାପିତ କରିଥିଲେ । ଏହା ପରେ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଠିକା ସଂସ୍ଥା ପକ୍ଷରୁ କ୍ଷତି ପୂରଣ ତଥା ସାମଲ ପରିବାରର ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସାମୟିକ ଭାବରେ ଉତ୍ତେଜନା ହ୍ରାସ ପାଇଛି । ତେବେ ଆସନ୍ତାକାଲି ଶବକୁ ବ୍ୟବଚ୍ଛେଦ କରାଯିବ ବୋଲି ବୁର୍ଲା ଥାନାଧିକାରୀ ସୂଚନା ଦେଇଛନ୍ତି । ତେବେ ମୃତ ଡିଏଲଆର ବା ଦୈନିକ ମଜୁରିଆ ଅଭିମନ୍ୟୁ ଜଣେ ଶାନ୍ତ ଏବଂ ମେଳାପୀ ବ୍ୟକ୍ତି ଥିଲେ ବୋଲି ସୂଚନା ହସ୍ତଗତ ହେଉଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

