ଲକ୍ଷ୍ମୀପୁର, (୧୮/୦୯) : ଆପ୍ର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ ଟିମାଝୋଲା ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଜାତୀୟ ରାଜପଥ ୩୨୬ ଉପରେ ଏକ ବାଇକକୁ ଧକ୍କା ଦେଲା ସ୍କର୍ପିଓ । ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତକ ଟିମାଝୋଲା ଗାଁର ମାଝୀ ହିକକା । କ୍ଷତିପୂରଣ ଦାବିରେ ରାୟଗଡା-କୋରାପୁଟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ, ମାଝୀ ତାଙ୍କ ବାଇକ୍କୁ ରାସ୍ତା ପାର୍ଶ୍ୱରେ ସାଇଡ୍ କରି ଠିଆ ହୋଇ କଥାବାର୍ତ୍ତା କରୁଥିବା ସମୟରେ ଏକ ସ୍କର୍ପିଓ ଗାଡ଼ି ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥ ୩୨୬କୁ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ରାୟଗଡ଼ା ଓ କୋରାପୁଟକୁ ସଂଯୋଗ କରୁଥିବା ଏହି ରାଜପଥର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି । ଫଳରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛି ।

