ରାଉରକେଲା, (୧୮/୦୯) : ଆପ୍ର : ତ୍ରିକୋଣୀୟ ପ୍ରେମରୁ ହତ୍ୟା । ପ୍ରେମ ପାଇଁ ବନ୍ଧୁଙ୍କୁ ପାଣି ଟାଙ୍କିରୁ ଠେଲି ହତ୍ୟା ଅଭିଯୋଗ ହୋଇଛି ।
ମୃତକ ସୁନ୍ଦରଗଡ଼ ଲାଠିକଟା ଥାନା ଅଞ୍ଚଳର ଅଭିଷେକ ମାହାଲିକ । ଡାକ୍ତରଖାନାରେ ମୃତ୍ୟୁ ପରେ ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା କରୁଛି ଲାଠିକଟା ଥାନା ପୋଲିସ । ତ୍ରିକୋଣୀୟ ପ୍ରେମକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ସୂଚନା ଅନୁସାରେ, ଅର୍ଦ୍ଧନିର୍ମିତ ପାଣି ଟାଙ୍କି ଉପରେ ଦୁଇ ସାଙ୍ଗ ଅଭିଷେକ ମାହାଲିକ ଓ କୁନା ଦାସ ରାତିରେ ମଦ୍ୟପାନ କରୁଥିଲେ । ତେବେ ଦୁହେଁ ଜଣେ ଯୁବତୀଙ୍କୁ ଭଲପାଉଥିବାରୁ ସେଠାରେ ଏହାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
ଯୁବତୀ ଜଣକ ଅଭିଷେକଙ୍କୁ ଅଧିକ ପସନ୍ଦ କରୁଥିବା ନେଇ କୁନା ରାଗିଯାଇଥିବା ଅଭିଯୋଗ ହୋଇଛି । ଏହାପରେ ଉତ୍ତେଜିତ ହୋଇ କୁନା ଦାସ ଅଭିଷେକଙ୍କୁ ପାଣି ଟାଙ୍କି ଉପରୁ ଠେଲି ଦେଇଥିବା ଅଭିଯୋଗ ରହିଛି । ତଳେ ପଡ଼ି ଅଭିଷେକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁନା ଦାସଙ୍କୁ ଗିରଫ କରିଛି । ଘଟଣାର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

