କେନ୍ଦ୍ରାପଡା, (୧୯/୦୮) : ଆପ୍ର : ଉଦ୍ଧାର ହେଉଛନ୍ତି ୩୦୦ ଛାତ୍ରଛାତ୍ରୀ । କେନ୍ଦ୍ରାପଡା-ପଟ୍ଟାମୁଣ୍ଡାଇ ରେ ଓଡ୍ରାଫ୍ଟ ଟିମ୍ ।
କୁଳଶାହି ଆବାସିକ ସ୍କୁଲରେ ଫସି ରହିଥିବା ୩୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧର ପ୍ରକ୍ରିୟା ଆରମ୍ଭ ହୋଇଛି । ହଠାତ ବ୍ରାହ୍ମଣୀ ପାଣି ମାଡ଼ି ଆସିବାରୁ ଫସି ଯାଇଥିଲେ ଛାତ୍ରଛାତ୍ରୀ । ଆଜିକୁ ୪ ଦିନ ହେଲା ଫସି ରହିଛନ୍ତି ୩୦୦ ରୁ ଅଧିକ ଛାତ୍ରଛାତ୍ରୀ । ସେଠାରେ ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗା ଦିଆଯାଇଥିଲା । ରେସକ୍ୟୁ ପାଇଁ ନିଷ୍ପତ୍ତି ହୋଇ ନଥିଲା। ତେବେ ଆଜି ରେସକ୍ୟୁ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ୨୫ଜଣିଆ ଓଡ୍ରାଫ୍ଟ ଟିମ ୩ଟି ୟୁନିଟରେ ବିଭକ୍ତ ହୋଇ ଉଦ୍ଧାର କରିବେ । ୩ଟି ପାୱାର ବୋଟ ସାମିଲ ହୋଇଛି ।
ସେପଟେ ଜିଲ୍ଲାରେ ବ୍ରାହ୍ମଣୀ ନଦୀରେ ଦ୍ଵିତୀୟ ବନ୍ୟା ଆସିଛି । ଜିଲ୍ଲାର ୬ଟି ବ୍ଳକର ୬୬ଟି ପଞ୍ଚାୟତର ୧୫୧ଟି ଗାଁ ପ୍ରଭାବିତ । ବିଶେଷକରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡର ୨ଲକ୍ଷ ୨୩ହଜାର ୫୧୯ଜଣ ପ୍ରଭାବିତ ହୋଇଛନ୍ତି । ପାଖାପାଖି ୧୪ହଜାର ୨୬୮ହେକ୍ଟର ଫସଲ କ୍ଷତିଗ୍ରସ୍ତ । ବନ୍ୟା ପ୍ରଭାବିତଙ୍କୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କୁ ସୁଖିଲା ଖାଦ୍ୟ ଏବଂ ଆବଶ୍ୟକ ରିଲିଫ ସାମଗ୍ରୀ ବଣ୍ଟ କରାଯାଇଛି । ୧୮ଟି ଆଶ୍ରୟ କେନ୍ଦ୍ରରେ ସମୁଦାୟ ୩ହଜାର ୩ଶହ ୫୦ଜଣଙ୍କୁ ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ସ୍ବାସ୍ଥ୍ୟସେବା ପାଇଁ ୧୬ଟି ମେଡିକାଲ ଟିମ୍ ଏବଂ ପ୍ରାଣୀସମ୍ପଦର ଚିକିତ୍ସା ଓ ଯତ୍ନ ପାଇଁ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୬ଟି ପାୱାର୍ ବୋଟ୍, ୧୧୭ଟି ଦେଶୀ ଡଙ୍ଗା ଏବଂ ୧୦ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ହୋଇଛି । ପଟ୍ଟାମୁଣ୍ଡାଇ ,ରାଜକନିକା,ଆଳି, ରାଜନଗର ବ୍ଲକରେ ହଜାର ହଜାର ଲୋକ ଜଳବନ୍ଦି ହୋଇ ରହିଛନ୍ତି । ଜିଲ୍ଲା ପ୍ରଶାସନ ଏବେବି ହଜାର ହଜାର ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ପାରିନାହିଁ ।

