ଯୋଡ଼ା, (୧୮/୦୭) : ଆପ୍ର : ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । କେନ୍ଦୁଝର ଯୋଡ଼ା ଥାନା ଖୁଣ୍ଟପାଣି ପାହାଡ଼ ଉପରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ।
ମୃତକ ହେଲେ କମାରଯୋଡ଼ା ତାରିଣୀ ଛକ ଅଞ୍ଚଳର ୧୧ ବର୍ଷିୟ କ୍ରିଷ୍ଣା କାଳନ୍ଦୀ । ଅଭିଯୋଗ ଅନୁଯାୟୀ, ବାପା-ମାଆ ଛେଉଣ୍ଡ କ୍ରିଷ୍ଣା ନିଜ ବିବାହିତା ଭଉଣୀ ପୂର୍ଣ୍ଣିମା ଓ ଶଯ୍ୟାଶାୟୀ ଆଈ ସହ ରହୁଥିଲେ । ଗତ ବୁଧବାର ତାଙ୍କ ଭିଣୋଇ ଆରିୟା ନାଏକ ଲୁହା ଆଣିବାକୁ କହି କ୍ରିଷ୍ଣାକୁ ସାଙ୍ଗରେ ନେଇଯାଇଥିଲେ । କିନ୍ତୁ ପରଠାରୁ କ୍ରିଷ୍ଣା ଆଉ ଘରକୁ ଫେରିନଥିଲେ । ପରେ ଆରିୟା ଘରକୁ ଆସି କ୍ରିଷ୍ଣାକୁ ବାତ ମାରିଥିବା ଓ ସେ ଅଚେତ୍ ହୋଇ ପାହାଡ଼ରେ ପଡ଼ିଥିବା କହିଥିଲେ । ଗାଡ଼ି ନେଇ ପରେ ତାକୁ ନେଇ ଆସିବି ବୋଲି କହିଥିଲେ । ତେବେ ଗତକାଲିଠାରୁ ନାବାଳକର ଭିଣୋଇ ଫେରାର ଥିବା ସୂଚନା ମିଳିଛି । ସେପଟେ ମୃତକଙ୍କ ମାମୁ ରାଜୁ ମୁଣ୍ଡା ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ପୋଲିସ ଖୁଣ୍ଟପାଣି ପାହାଡ଼ ଉପରେ ଥିବା ଗଛ ତଳୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଯୋଡ଼ା ପୋଲିସ କହିଛି ।

