ସୁବର୍ଣ୍ଣପୁର, (୧୫/୧୦) : ଆପ୍ର : ଶାରଦୀୟ ନବରାତ୍ରୀର ପଞ୍ଚମ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଙ୍କ ସ୍କନ୍ଦମାତା ବେଶ ଅନୁଷ୍ଠିତ ହୋଇଛି ।
ଏହି ଦିବ୍ୟ ବେଶରେ ତିନି ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତି ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପୂଜାର୍ଚ୍ଚନା, ଶଙ୍ଖଧ୍ୱନି ଓ ମଙ୍ଗଳଗୀତରେ ମନ୍ଦିର ପରିସର ସବୁ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା । ମାତୃତ୍ୱ ଓ ସ୍ନେହର ପ୍ରତୀକ ସ୍କନ୍ଦମାତା ପୌରାଣିକ ମତ ଅନୁଯାୟୀ, ମା’ ଦୁର୍ଗାଙ୍କ ପଞ୍ଚମ ସ୍ୱରୂପ ହେଉଛନ୍ତି ସ୍କନ୍ଦମାତା । ସେ ଦେବସେନାପତି କାର୍ତ୍ତିକେୟ ବା ସ୍କନ୍ଦଙ୍କ ଜନନୀ । ପୁତ୍ର ସ୍କନ୍ଦଙ୍କୁ କୋଳରେ ଧାରଣ କରିଥିବାରୁ ତାଙ୍କର ଏହି ନାମକରଣ ହୋଇଛି । ମାତୃତ୍ୱ, ସ୍ନେହ, କରୁଣା ଓ ସନ୍ତାନର ସୁରକ୍ଷାର ପ୍ରତୀକ ଭାବେ ସ୍କନ୍ଦମାତା ପୂଜିତା ହୋଇଥାନ୍ତି । ଦିବ୍ୟ ସ୍ୱରୂପରେ ମା’ଙ୍କ ଆରାଧନା ପାରମ୍ପରିକ ରୂପରେ ମା’ ସ୍କନ୍ଦମାତା ସିଂହବାହିନୀ । ତାଙ୍କର ଚାରି ହସ୍ତ ମଧ୍ୟରୁ ଦୁଇ ହସ୍ତରେ ପଦ୍ମଫୁଲ ଶୋଭା ପାଉଥିବା ବେଳେ ଅନ୍ୟ ଏକ ହସ୍ତରେ ସେ ପୁତ୍ର ସ୍କନ୍ଦଙ୍କୁ ଧାରଣ କରିଥାନ୍ତି ।
ମା’ଙ୍କ ଏହି ମନୋମୁଗ୍ଧକର ସ୍ୱରୂପ ଭକ୍ତଙ୍କ ମନରେ ଶାନ୍ତି, ଭକ୍ତି ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥାଏ । ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଆରାଧନା କଲେ ପରିବାରରେ ସୁଖଶାନ୍ତି, ସମୃଦ୍ଧି ଓ ସନ୍ତାନଙ୍କ ମଙ୍ଗଳ ଲାଭ ହୁଏ ବୋଲି ଭକ୍ତମାନଙ୍କର ଗଭୀର ବିଶ୍ୱାସ ରହିଛି । ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ କନକ ଦୁର୍ଗାଙ୍କ ଏହି ପବିତ୍ର ବେଶ ସୁବର୍ଣ୍ଣପୁରର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଅଧିକ ମହିମାମଣ୍ଡିତ କରିଛି । ନବରାତ୍ରୀର ଭକ୍ତିମୟ ପରିବେଶରେ ପବିତ୍ର ଦେବଭୂମି ସୁବର୍ଣ୍ଣପୁର ଉତ୍ସବ ମୁଖର ହୋଇଉଠିଛି ।

