ସୁବର୍ଣ୍ଣପୁର, (୦୭/୧୦) : ଆପ୍ର : ବିକଶିତ ଭାରତ ଗଠନର ଲକ୍ଷ୍ୟ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ଜନସେବାର ସେବା ଯାତ୍ରା ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ସେବା ଜ୍ୟୋତି ଯାତ୍ରା ଓ ସେବା ସଂକଳ୍ପ ଅଭିଯାନ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ରାମେଶ୍ୱର ଷ୍ଟାଡିୟମଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବା ସହ ସହରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ୩୦ ଦିନ ଧରି ଆୟୋଜିତ ହେଉଥିବା ସେବା ସଂକଳ୍ପ ଅଭିଯାନ ୨୦୨୬ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା, ନିଷ୍ପତ୍ତି ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ସେଗୁଡ଼ିକର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବା ।
ସୁବର୍ଣ୍ଣପୁର ସହରସ୍ଥିତ ରାମେଶ୍ୱର ଷ୍ଟାଡିୟମଠାରେ ଆୟୋଜିତ ବିଶାଳ ସମାବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ସେବା ସଂକଳ୍ପ ଓ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟ ସମ୍ପର୍କରେ ପ୍ରେରଣା ଦେଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସମସ୍ତଙ୍କ ଭାଗିଦାରିତାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ ଶେଷ ହେବା ପରେ ରାମେଶ୍ୱର ଷ୍ଟାଡିୟମଠାରୁ ଏକ ଜନସଚେତନତା ରାଲି ବାହାରି ସୁରେଶ୍ୱରୀ ମନ୍ଦିର ରୋଡ୍ ଦେଇ ନଳିନୀ ଛକ ଏବଂ ସେଠାରୁ ଆର୍ଟିଓ ଛକ ପର୍ଯ୍ୟନ୍ତ ଯାଇଥିଲା । ଆର୍ଟିଓ ଛକଠାରେ ସେବାର ପ୍ରତୀକ ଭାବେ ମଶାଲ ଜ୍ୟୋତି ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଆର୍ଟିଓ ଛକକୁ ‘ସେବା ଜ୍ୟୋତି ଛକ’ ଭାବେ ନାମକରଣ କରାଯାଇଥିଲା ।
ଏହି ଅବସରରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା କହିଥିଲେ ଯେ, ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ଜନକୈନ୍ଦ୍ରିକ କରିବା ଏବଂ ସରକାରଙ୍କ ଯୋଜନା ଓ ସେବାର ସୁଫଳ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ମାସବ୍ୟାପୀ ଏହି ଅଭିଯାନରେ କୃଷକ, ବରିଷ୍ଠ ନାଗରିକ, ଶିଶୁ ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗ, ବୟସ ଓ ଅଞ୍ଚଳର ଲୋକଙ୍କୁ ସାମିଲ କରାଯାଇ ରାଷ୍ଟ୍ରର ସାମଗ୍ରିକ ବିକାଶ ଦିଗରେ ସଚେତନ କରାଯାଉଛି ।
କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦେବାଶିଷ ସିଂହ , ସଂସ୍କୃତି ବିକାଶ ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଭାଜପା ଜିଲ୍ଲା ସଭାପତି ବେଣୁଧର ଦାଶ , ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶତପଥୀ, ସାଂସଦ ପ୍ରତିନିଧି ସାନନ୍ଦ କୁମାର ମେହେର , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ ।

