Homelocalନଭେମ୍ବରରେ ଆଉ ଏକ ବାତ୍ୟାର ଆଶଙ୍କା, ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞଙ୍କ ସୂଚନା

ନଭେମ୍ବରରେ ଆଉ ଏକ ବାତ୍ୟାର ଆଶଙ୍କା, ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞଙ୍କ ସୂଚନା

ଭୁବନେଶ୍ୱର, (୦୪/୧୧) : ଆପ୍ର : ଅର୍ଣ୍ଣବ ଗଲା, ମୁରାସୁ ଗଲା । ଏବେ ପୁଣି ଆଉ ଏକ ବାତ୍ୟାର ଆଶଙ୍କା । ଚଳିତମାସ ମଧ୍ୟ ଭାଗରେ ପୁଣି ଏକ ବାତ୍ୟା ନେଇ ପୂର୍ବାନୁମାନ ।

ନଭେମ୍ବର ମାସ ମଝିରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ନେଇ ସତର୍କ କରାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ୍ ନିକୋଲ୍ସ । ଆକ୍ୟୁୱେଦରର ବରିଷ୍ଠ ଅନ୍ତର୍ଜାତୀୟ ପାଣିପାଗ ବିଶେଜ୍ଞ ଜାସନ ନିକୋଲ୍ସ ଆଜି ନିଜ ଏକ୍ସ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ନିଜ ପୋଷ୍ଟ ସହ ନିକୋଲ୍ସ ଏକ ବିଶେଷ ପାଣିପାଗ ଚିତ୍ର ମଧ୍ୟ ସେୟାର କରିଛନ୍ତି । ଏଥିରେ ବାୟୁମଣ୍ଡଳରେ ସକ୍ରିୟ ଥିବା ତରଙ୍ଗ, ମେଘ ସୃଷ୍ଟି ପ୍ରକ୍ରିୟା ଏବଂ ଆଗାମୀ କିଛି ସପ୍ତାହର ସମ୍ଭାବ୍ୟ ପାଣିପାଗ ସ୍ଥିତି ସମ୍ପର୍କରେ ସଙ୍କେତ ମିଳୁଛି । ବିଶେଷକରି ବଙ୍ଗୋପସାଗର ଅଞ୍ଚଳରେ ମେଘମାଳା ସୃଷ୍ଟି ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇପାରେ । ଏହା ଲଘୁଚାପ ସୃଷ୍ଟି ଏବଂ ପରବର୍ତ୍ତୀ ସମୟରେ ଘନୀଭୂତ ହେବା ପ୍ରକ୍ରିୟାକୁ ସହାୟକ ହୋଇପାରେ ।

ଗତ ଅକ୍ଟୋବର ୨୮ରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିଲା ବାତ୍ୟା ଅର୍ଣ୍ଣବ । ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିଲୋମିଟର ରହିଥିବାବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ଆନ୍ଧ୍ରରେ ବ୍ୟାପକ କ୍ଷୟକ୍ଷତି ସହ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା । ଋଷିକୁଲ୍ୟା ସମେତ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅର୍ଣ୍ଣବର ପ୍ରଭାବ ନକମୁଣୁ ପୁଣି ଆସିଥିଲା ବାତ୍ୟା ମୁରାସୁ । ଆଜି ଭୋର୍ ସମୟରେ ଏହା ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା । ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିବାବେଳେ ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ବହିଥିଲା । ଏହାର ପ୍ରଭାବରେ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।

ଏତେ କମ୍ ବ୍ୟବଧାନରେ ବଙ୍ଗୋପସାଗରରେ ବାରମ୍ବାର ବାତ୍ୟା ସୃଷ୍ଟି ହେଉଛି କାହିଁକି? ପାଣିପାଗ ବିଜ୍ଞାନ ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ପରିବେଶ ଅନୁକୂଳ ରହିଥାଏ। ସମୁଦ୍ର ଜଳର ଉଚ୍ଚ ତାପମାତ୍ରା, ବାୟୁମଣ୍ଡଳରେ ଆର୍ଦ୍ରତା ଏବଂ ବିଷୁବୀୟ ତରଙ୍ଗର ସକ୍ରିୟତା ଲଘୁଚାପକୁ ଘନୀଭୂତ କରିବାରେ ସହାୟକ ହୋଇପାରେ । ନଭେମ୍ବର ମଧ୍ୟ ଭାଗରେ କେଉଁଠି ଲଘୁଚାପ ସୃଷ୍ଟି ହେବ, ଏହା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗରେ ଗତି କରିବ, ସେନେଇ ଏବେଠାରୁ ଆଇଏମଡି ପକ୍ଷରୁ ନିର୍ଦ୍ଦିଷ୍ଟ ପୂର୍ବାନୁମାନ କରାଯାଇନି । ବାରମ୍ବାର ଲଘୁଚାପ ଓ ବଙ୍ଗୋପସାଗରରେ ବାତ୍ୟା ପଛର କାରଣ କଣ? ଏଲନିନୋ ବାତ୍ୟା ବିପଦ ବଢାଉଥିବା ନେଇ ଆଶଙ୍କା କରାଯାଉଛି। ଆଇଏମଡିର ପୂର୍ବତନ ମହାନିର୍ଦ୍ଦେଶକ କହିଛନ୍ତି, ସକ୍ରିୟ ରହିିଥିବା ୩ଟି ପାଣିପାଗ ପ୍ରକ୍ରିୟାର ପ୍ରଭାବ ପାଇଁ ଏଭଳି ସ୍ଥିତି ଉପୁଜିଥାଇପାରେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments