ଭୁବନେଶ୍ବର, (୦୪/୧୧) : ଆପ୍ର : ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ବୁଧବାର ଉଦ୍ଧାର କରାଯାଇଛି ।
ପାର୍କରେ ସକାଳେ କାମ କରୁଥିବା କର୍ମଚାରୀ ମାନେ କିଛି ଦୁର୍ଗନ୍ଧ ବାରି ଥିଲେ ଏବଂ ଖୋଜାଖୋଜି କରିବାରୁ ପାର୍କ ନିକଟରେ ଥିବା ପାଚେରୀ କଡରୁ ଯୁବକଙ୍କ ଗଳିତ ଶବ ଦେଖିବାକୁ ମିଳିଥିଲା । ଶବଟିର ଖପୁରୀ ଓ ଗୋଟିଏ ଗୋଡ ବ୍ୟତୀତ ଆଉ କିଛି ନଥିଲା । ସେ ପିନ୍ଧିଥିବା ପ୍ୟାଣ୍ଟଟି ନିକଟରେ ପଡ଼ିଥିଲା। ଖବର ପାଇବା ପରେ ମଞ୍ଚେଶ୍ୱର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଯୁବକଙ୍କ ବୟସ ୩୦ ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ୨ ରୁ ୩ ସପ୍ତାହ ପୂର୍ବରୁ କେହି ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଏହା ବଣବୁଦା ସ୍ଥାନ ହୋଇଥିବାରୁ ଜନସାଧାରଣକୁ ନଜରକୁ ଆସିନଥିବା ଜଣାପଡ଼ିଛି । ତେବେ ବୁଲା କୁକୁର କିମ୍ବା ବଣୁଆ ଜନ୍ତୁ ମୃତଦେହକୁ ଖାଇ ଥିବା ଅନୁମାନ କରାଯାଉଛି ।
ମୃତଦେହକୁ ପୋଡା ଯାଇଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ୬ ମାସ ତଳେ ଏଠାରେ ୫୦ ମିଟର ଦୂରତାରେ ଏକ ବୋମା ଫୁଟିଥିଲା । ମୃତଦେହ ମିଳିବା ସ୍ଥାନରୁ ୫୦ ମିଟର ଦୂରରେ କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ୨୦ ମିଟର ଦୂରରେ ବିଡିଏ ବହୁତଳ ଆପାର୍ଟମେଣ୍ଟ ରହିଛି । ପାର୍କକୁ ମଧ୍ୟ ଦୈନିକ ହଜାର ହଜାର ଲୋକେ ଆସିଥା’ନ୍ତି । ଏଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ମୃତଦେହ ଫିଙ୍ଗି ଅପରାଧିମାନେ ପୁଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି । ତୁରନ୍ତ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଉତ୍ତର ଭୁବନେଶ୍ୱରର କମ୍ୟୁନିଷ୍ଟ ନେତା ଶଙ୍କର୍ଷଣ ବାରିକ୍ ଦାବି କରିଛନ୍ତି ।

