ବାଙ୍ଗିରିପୋଷି, (୦୮/୦୯) : ଆପ୍ର : ଧାନ ବିଲରେ ଘାସ ବାଛୁଥିବା ବେଳେ ବଜ୍ରପାତ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନାଫ୍ରି ପଞ୍ଚାୟତର ଆନ୍ଦୋଳା ଗ୍ରାମ ନିକଟରେ ଅଘଟଣ ।
ଧାନ ବିଲରେ ଘାସ ବାଛୁଥିବା ବେଳେ ହଠାତ୍ ବଜ୍ରପାତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି । ମୃତକ ଜଣକ ଆନ୍ଦୋଳା ଗ୍ରାମର ସୁରେନ୍ଦ୍ର ପାତ୍ର (୬୫) ବୋଲି ଜଣାପଡ଼ିଛି । ସେହିପରି ତାଙ୍କ ଝିଆରୀ ପଦ୍ମାବତୀ ପାତ୍ର (୫୫) ବଜ୍ରପାତରେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ଅପରାହ୍ନରେ ବର୍ଷା ସହ ହଠାତ୍ ବଜ୍ରପାତ ହୋଇଥିଲା । ଘଟଣା ପରେ ପରିବାର ଲୋକେ ବାଙ୍ଗିରିପୋଷି ପୁଲିସକୁ ଖବର ଦେବା ସହ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସୁରେନ୍ଦ୍ର ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ପଦ୍ମାବତୀଙ୍କ ଅବସ୍ଥା ସାମାନ୍ୟ ଥିବା ଜଣାପଡ଼ିଛି । ଖବର ପାଇ ବାଙ୍ଗିରିପୋଷି ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

