ସୁବର୍ଣ୍ଣପୁର, (୨୯/୧୦) : ଆପ୍ର : ଦୁର୍ନୀତି ର ମୂଳୋତ୍ପାଟନ ନିମେନ୍ତ ପ୍ରତିଶ୍ରୁତି ବଦ୍ଧ ତଥା ସତତ ଚେଷ୍ଟିତ କେନ୍ଦ୍ର ଓ ରାଜ୍ୟ ସରକାର ।
ଏହି କ୍ରମରେ ଓଡ଼ିଶାର ମୂଖ୍ୟ ଶାସନ ସଚିବଙ୍କ ନିକଟକୁ ପ୍ରାପ୍ତ ପତ୍ର ତଥା ରାଜଧାନୀ ଭୁବନେଶର ସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟ ର ବିଶେଷ ନିର୍ଦ୍ଦେଶରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଥିବା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ନ୍ୟାୟାଳୟର ପବ୍ଲିକ ପ୍ରସିକ୍ୟୁଟର ମଧୁମିତା ଅମାତ୍ୟ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସର୍ବ ପ୍ରଥମେ ଉପସ୍ଥିତ ଥିବା ସରକାରୀ ଓକିଲ ଓ କର୍ମଚାରୀ ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ଦିଗରେ ଶପଥ ପାଠ କରିଥିଲେ ।
କିପରି ଜଣେ ଅଭିଯୋଜନ ଅଧିକାରୀ ସତ୍ୟନିଷ୍ଟ ତଥା ସଚ୍ଚୋଟ ହୋଇ ପୂର୍ବପେକ୍ଷା ଆହୁରି ଅଧିକ ଲୋକାଭିମୁଖୀ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ପ୍ରଶଂସା ପାତ୍ର ହୋଇ ପାରିବ ସେ ନେଇ ଶ୍ରୀମତୀ ଅମାତ୍ୟ ନିଜର ମତ ପୋଷଣ କରିଥିଲେ । ପରେ ସାଧୁତା ଓ କର୍ତ୍ତବ୍ୟ ପରାୟଣ ଉପରେ କହିବା ସହ ଆଗାମୀ ଦିନରେ କିପରି ସମାଜରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ ସେ ନେଇ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ ।
ସେହିପରି ଉପସ୍ଥିତ ଅଭିଯୋଜନ ଅଧିକାରୀ ମାନେ ଅଦାଲତରେ ପ୍ରତିଦିନ ସାମନା କରୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ନିଜର ମତାମତ ରଖିବା ସହ ଆଗାମୀ ଦିନରେ କିପରି ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ ନେଇ ନୂତନ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ସହ ବିଭିନ୍ନ ଆନୁସଙ୍ଗିକ ବିଷୟ ଉପରେ ବିଚାର ବିମର୍ଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେସିଆଲ ପବ୍ଲିକ ପ୍ରସିକ୍ୟୁଟର ନନ୍ଦ କିଶୋର , ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୁଜାତା କୁମାରୀ ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ ।

