ସୁନ୍ଦରଗଡ଼, (୧୮/୦୯) : ଆପ୍ର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । କରମା ପୂଜା ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଦୁଇ ନାବାଳିକାଙ୍କୁ ଜଙ୍ଗଲିଆ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଅଭିଯୋଗ ଅନୁସାରେ, କୁଆରମୁଣ୍ଡାରେ କରମା ପୂଜା ଦେଖି ଫେରୁଥିବା ସମୟରେ କିଛି ଯୁବକ ରାସ୍ତାରେ ଦୁଇ ନାବାଳିକାଙ୍କୁ ଅଟକାଇଥିଲେ । ପରେ ସେମାନଙ୍କୁ ଜୋରଜବରଦସ୍ତି ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା କାହାକୁ କହିଲେ ପ୍ରାଣନାଶର ଧମକ ଦେବା ସହ ୭ ହଜାର ଟଙ୍କା ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।
ଘରେ ପହଞ୍ଚିବା ପରେ ପୀଡ଼ିତାମାନେ ପରିବାର ଲୋକଙ୍କୁ ସମ୍ପୂର୍ଣ୍ଣ ଘଟଣା ଜଣାଇଥିଲେ । ଏହାପରେ ବୀରମିତ୍ରପୁର ଥାନାରେ ଏତଲା ଦାଖଲ ହୋଇଥିଲା । ଅଭିଯୋଗ ପାଇବା ମାତ୍ରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ସରକାରୀ ସୂଚନା ପ୍ରକାଶ ପାଇନଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ସ୍ୱର ଉଠାଇଛନ୍ତି ।

