ଭଦ୍ରକ, (୦୯/୦୯) : ଆପ୍ର : ପାରିବାରିକ କଳହ ଓ ଜମି ବିବାଦ ନେଇ ଭଦ୍ରକରେ ଘଟିଛି ଛାତିଥରା ଘଟଣା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚୁନିଡା ଗାଁ’ରେ ବାପାଙ୍କ ଛୁରୀ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ମୃତକ ହେଲେ ବିକାଶ ସାହୁ, ଅଭିଯୁକ୍ତ ବାପା ରବି ସାହୁଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବୁଧବାର ସକାଳେ ବାପା-ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ରବି ସାହୁ ପ୍ରଥମେ ବୋହୂଙ୍କୁ ଘର ଭିତରେ ବନ୍ଦ କରିଦେଇ ବିକାଶଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଅବସ୍ଥାରେ ବିକାଶଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାକୁ ନେଇ ବିକାଶଙ୍କ ପତ୍ନୀ ସ୍ମୃତି ସାହୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ, ଶ୍ୱଶୁର ତାଙ୍କୁ ଓ ସ୍ୱାମୀଙ୍କୁ ସେହି ଘରେ ରହିବାକୁ ଦେବାକୁ ଚାହୁଁନଥିଲେ । ଏନେଇ ପୂର୍ବରୁ ଥାନାରେ ମଧ୍ୟ ବିବାଦ ପହଞ୍ଚିଥିଲା। ସକାଳେ ବିକାଶ କଥା ହେବାକୁ ଯିବାବେଳେ ରବି ସାହୁ ଛୁରୀ ଧରି ବସିଥିଲେ ଏବଂ କିଛି କହିବା ପୂର୍ବରୁ ସିଧାସଳଖ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ମୃତିଙ୍କ ହାତରେ ମଧ୍ୟ ଆଘାତ ଲାଗିଥିବା ସେ କହିଛନ୍ତି ।
ବିକାଶଙ୍କ ମୃତ୍ୟୁ ପରେ ଚୁନିଡା ଗାଁ’ରେ ଉତ୍ତେଜନା ଦେଖାଦେଇଥିଲା । ଶହ ଶହ ଗ୍ରାମବାସୀ ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସରରେ ଭିଡ଼ ଜମାଇଥିବାରୁ ପରିସ୍ଥିତି ତୀବ୍ର ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବାବେଳେ ଜମି ବିବାଦ, ପାରିବାରିକ କଳହ ଓ ହତ୍ୟାର ପ୍ରକୃତ କାରଣକୁ ନେଇ ତଦନ୍ତ ଜାରି ରଖିଛି ।

