Homelocalରାସ୍ତା ନଥିବାରୁ ମିଳିଲାନି ଆମ୍ବୁଲାନ୍ସ; ପ୍ରସବ ବେଦନାରେ ଛଟପଟ ଗର୍ଭବତୀଙ୍କୁ ୨ କି.ମି. ଭାରରେ ବୋହିଲେ...

ରାସ୍ତା ନଥିବାରୁ ମିଳିଲାନି ଆମ୍ବୁଲାନ୍ସ; ପ୍ରସବ ବେଦନାରେ ଛଟପଟ ଗର୍ଭବତୀଙ୍କୁ ୨ କି.ମି. ଭାରରେ ବୋହିଲେ ଗାଁ ଲୋକେ

କଳାହାଣ୍ଡି, (୧୮/୦୭) : ଆପ୍ର : ବିକାଶର ଦାବି ଭିତରେ ଆଜି ବି ଅନେକ ଗାଁ ମୌଳିକ ସୁବିଧାରୁ ବଞ୍ଚିତ । କଳାହାଣ୍ଡି ଜିଲ୍ଲାରୁ ଆସିଥିବା ଏକ ହୃଦୟବିଦାରକ ଘଟଣା ପୁଣିଥରେ ଗ୍ରାମାଞ୍ଚଳର ଦୟନୀୟ ଚିତ୍ରକୁ ସାମ୍ନାକୁ ଆଣିଛି ।

ରାସ୍ତାର ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁ’ରେ ପହଞ୍ଚି ପାରିନଥିଲା । ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀମାନେ ପ୍ରାୟ ୨ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇଥିଲେ । ଏହି ଘଟଣା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଘୁଟିଗୁଡ଼ା ଗାଁ ରେ ଘଟିଛି । ଗର୍ଭବତୀ ରଞ୍ଜିତା ମାଝୀ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରସବ ବେଦନା ଅନୁଭବ କରିଥିଲେ । ପରିବାର ଲୋକେ ସଙ୍ଗେସଙ୍ଗେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଗାଁ’କୁ ସଂଯୋଗ କରୁଥିବା କାଦୁଅ ଓ ଭଙ୍ଗା ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ।

ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ସହାୟତା ନମିଳିବାରୁ ଆମ୍ବୁଲାନ୍ସ ଫେରିଯାଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳେ ପରିବାର ଲୋକେ ଏକ ଅଟୋ ଭଡ଼ା କରିଥିଲେ । ତେବେ ଅଟୋ ମଧ୍ୟ ଗାଁ ଭିତରକୁ ଯାଇପାରିନଥିଲା । ଶେଷରେ ଗ୍ରାମବାସୀମାନେ ଏକ ଅସ୍ଥାୟୀ ଭାର ପ୍ରସ୍ତୁତ କରି ରଞ୍ଜିତାଙ୍କୁ କାନ୍ଧରେ ବୋହି ପ୍ରାୟ ୨ କିଲୋମିଟର କାଦୁଅ ରାସ୍ତା ଅତିକ୍ରମ କରି ମୁଖ୍ୟ ସଡ଼କରେ ପହଞ୍ଚାଇଥିଲେ । ସେଠାରୁ ଅଟୋ ଯୋଗେ ତାଙ୍କୁ ଥୁଆମୂଳ ରାମପୁର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା ।

ଏହି ଘଟଣା ପରେ ପୁଣିଥରେ ଦୁର୍ଗମ ଅଞ୍ଚଳରେ ସର୍ବକାଳୀନ ସଡ଼କ ଓ ଜରୁରୀ ସ୍ୱାସ୍ଥ୍ୟସେବାର ଅଭାବ ନେଇ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ବହୁଥର ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ରୋଗୀ, ବୃଦ୍ଧ ଓ ଗର୍ଭବତୀ ମହିଳାମାନେ ଜରୁରୀ ସମୟରେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ରାସ୍ତା ନିର୍ମାଣ ସହ ଉନ୍ନତ ସ୍ୱାସ୍ଥ୍ୟ ସଂଯୋଗ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments