ଭୁବନେଶ୍ୱର, (୩୦/୦୬) : ଆପ୍ର : ଓଡ଼ିଶାର ହଜାର ହଜାର ବୃଦ୍ଧ, ଦିବ୍ୟାଙ୍ଗ ଓ ଅନ୍ୟ ସାମାଜିକ ସୁରକ୍ଷା ପେନ୍ସନଭୋଗୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର ।
ଯଦି ପେନ୍ସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ଲିଙ୍କ ହୋଇନଥାଏ, ତେବେ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ରୁ ସେମାନଙ୍କ ପେନ୍ସନ ପାଇବାରେ ବିଳମ୍ବ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା ରହିଛି । ଏହାକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ଆଧାର-ବ୍ୟାଙ୍କ ଲିଙ୍କ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ସୂଚନା ଅନୁସାରେ, ଆସନ୍ତା ଆର୍ଥିକ ବର୍ଷରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ମିଳୁଥିବା ସମସ୍ତ ପେନ୍ସନ SNA-Sparsh ପ୍ଲାଟଫର୍ମର ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯିବ । ବର୍ତ୍ତମାନ ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ରୁ ଅଧିକ NSAP ପେନ୍ସନଭୋଗୀ ପୁରୁଣା ବ୍ୟାଙ୍କ ଆକାଉଣ୍ଟ ବ୍ୟବସ୍ଥାରେ ପେନ୍ସନ ପାଉଛନ୍ତି। କିନ୍ତୁ ସେମାନଙ୍କ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇନଥିବାରୁ ନୂଆ ବ୍ୟବସ୍ଥାରେ ପେନ୍ସନ ମିଳିବା ସମ୍ଭବ ହେବ ନାହିଁ । ବିଶେଷକରି ବୃଦ୍ଧ, ଶଯ୍ୟାଶାୟୀ ଓ ଅସହାୟ ପେନ୍ସନଭୋଗୀମାନେ ବ୍ୟାଙ୍କକୁ ଯାଇ ଆଧାର ଲିଙ୍କ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ଏଭଳି ହିତାଧିକାରୀଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ଥାନରେ ଘରେ ପହଞ୍ଚି ସେବା ଯୋଗାଇବାକୁ କୁହାଯାଇଛି ।
ଏଥିସହ ବ୍ଲକ ସ୍ତରରେ ଆଧାର ସିଡିଂ ଓ ଇ-କେୱାଇସି (e-KYC) କାର୍ଯ୍ୟକୁ ଶୀଘ୍ର ଶେଷ କରିବା ସହ ବ୍ୟାଙ୍କ ଲିଙ୍କିଂ ପ୍ରକ୍ରିୟାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି। କୌଣସି ପ୍ରଯୁକ୍ତିଗତ ସମସ୍ୟା ହେଲେ ଜିଲ୍ଲା ଆଧାର ସଂଯୋଜକମାନେ ସହଯୋଗ କରିବେ । ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, କୌଣସି ଯୋଗ୍ୟ ପେନ୍ସନଭୋଗୀଙ୍କ ପେନ୍ସନ ବନ୍ଦ ନହେଉ ଏବଂ ସମସ୍ତ ହିତାଧିକାରୀ ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛ ଓ ସମୟାନୁସାରେ ପେନ୍ସନ ପାଇପାରନ୍ତୁ । ତେଣୁ ଯେଉଁମାନଙ୍କର ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇନାହିଁ, ସେମାନେ ଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି ।

