Homelocalକେସିଙ୍ଗା ଏନ୍‌ଏସି ତରଫରୁ ବଗାଡରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା ଏନ୍‌ଏସି ତରଫରୁ ବଗାଡରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା, (୨୪/୦୬) : ଆପ୍ର : ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ୧୯୬୫ରେ ଗଠିତ କେସିଙ୍ଗା ଏନ୍‌ଏସିରେ ଅନେକ ସ୍ଥାନରେ ଜବରଦଖଲ ଅଭିଯୋଗ ଥିଲେ ମଧ୍ୟ କିଛି ବର୍ଷ ତଳେ କେବଳ ରାଜରାସ୍ତାକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ଆଜି ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ହୋଇନଥିବା କେସିଙ୍ଗା ଏନ୍‌ଏସି ଇତିହାସ ଓଲଟାଇଲେ ଜଳ ଜଳ କରି ଦେଖାଯାଏ ।

ହେଲେ ଦୀର୍ଘ ୬୦ ବର୍ଷ ପରେ କେସିଙ୍ଗା ଏନ୍‌ଏସି ୱାର୍ଡ ନଂ ୧ ଓ ୨ରେ ରାସ୍ତା ପ୍ରଶସ୍ତିକରଣ ପାଇଁ ମଙ୍ଗଳବାର ଦିନ ଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉଚ୍ଛେଦ ପାଇଁ ଅନେକ ଦିନରୁ ଏନ୍‌ଏସି ସଜବାଜ ହୋଇଥିଲେ ମଧ୍ୟ କୌଣସି ନା କୌଣସି କାରଣ ବଶତଃ କାର୍ଯ୍ୟ ଆଗକୁ ବଢ଼ି ପାରୁନଥିଲା । ହେଲେ ବର୍ତ୍ତମାନର ନଗରପାଳ ନୃପରାଜ ଯାଦବଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଫଳରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ବର୍ଷେ ଆଗରୁ ଡିମାରକେଶନ ଓ ଚିହ୍ନଟ ପ୍ରକ୍ରିୟା ସରି ଯାଇଥିଲେ ମଧ୍ୟ ଘର ଭାଙ୍ଗି ନଥିଲେ । ନଗରପାଳ ନୃପରାଜ ଯାଦବ ଏବଂ ପ୍ରେମ ବନଛୋର ଘରଭଙ୍ଗା ନୋଟିସକୁ ଅପେକ୍ଷା ନକରି ଚିହ୍ନଟ ଅନୁଯାୟୀ ନିଜ ନିଜ ଘର ଭାଙ୍ଗି ୱାର୍ଡରେ ଉଦାହରଣ ସୃଷ୍ଟି କରିଥିଲେ । ପରେ ୮୦ ଘରକୁ ନୋଟିସ ମିଳିବା ପରେ ସମସ୍ତ ୱାର୍ଡ ବାସୀ ନିଜେ ନିଜ ସହମତିରେ ଜବରଦଖଲ ଉଚ୍ଛେଦ କରି କେସିଙ୍ଗାରେ ଇତିହାସ ସୃଷ୍ଟି କରିଛନ୍ତି ।

ମଙ୍ଗଳବାର ଦିନ ସରକାରୀ ବୁଲଡୋଜର ସହ ନଗରପାଳ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ନିର୍ବାହୀ ଯନ୍ତ୍ରୀ ନାରାୟଣ ମହାରଣାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ ଅଭିଯାନରେ ସହଯୋଗ କରିଥିଲେ । ଜବରଦଖଲ ଉଚ୍ଛେଦକୁ ଆଖିଆଗରେ ରଖି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ବେଳେ କୌଣସି ଅଘଟଣକୁ ରୋକିବା ପାଇଁ ଭାରି ପୋଲିସ ମୁତୟନ ହୋଇଥିଲା ।

ନଗରପାଳଙ୍କ ଉଦ୍ୟମକୁ ୱାର୍ଡବାସୀ ପ୍ରଶଂସା କରିଥିବା ବେଳେ ଜବରଦଖଲ ଉଚ୍ଛେଦ ପରେ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ, ପକ୍କା ରାସ୍ତା, ଡ୍ରେନେଜ ସିଷ୍ଟମ କିପରି ହେବ ସେହି ବିଷୟରେ ଚିନ୍ତା କରିବା ପାଇଁ ୱାର୍ଡବାସୀ ଏନ୍‌ଏସିକୁ ଦାବୀ କରିଥିବା ବେଳେ ନଗରପାଳ ତାଙ୍କ ପ୍ରତିକ୍ରିୟାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପରେ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments