କଳାହାଣ୍ଡି //ନର୍ଲା, (୧୦/୦୬) : ଆପ୍ର : ଗାଡ଼ିରୁ ଧାନ ଖାଲି କରିବାକୁ ରାଇସ ମିଲ୍ ଆସିଥିଲେ । ଛକି ବସିଥିଲା ଜମ । ପଛପଟୁ ଚଢାଇ ଦେଲା ଟ୍ରକ୍ । ଚାଲିଗଲା ଦୁଇ ଡ଼୍ରାଇଭରଙ୍କ ଜୀବନ ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଖଜୁରପଡ଼ା ଗ୍ରାମରେ ବରଗଡ଼ରୁ ବୋରିଗୁମ୍ମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଅକାଳରେ ୨ ଜଣ ଡ଼୍ରାଇଭର ଙ୍କ ଜୀବନ ଚାଲିଯାଇଛି । ଆଜି ପାହାନ୍ତିଆ ସମୟରେ ୩ ଟି ଟ୍ରକ୍ କଳାହାଣ୍ଡି ଜିଲ୍ଲା ହରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଆରିହନ୍ତ ରାଇସ ମିଲ କୁ ଧାନ ଖାଲି କରିବାକୁ ଆସିଥିଲେ । ଭୋର୍ ପାହାନ୍ତିଆ ସମୟ ଥିବାରୁ ଦୁଇ ଟ୍ରକ୍ ର ଦୁଇଜଣ ଡ଼୍ରାଇଭର ଟ୍ରକ୍ ର କଡ଼ରେ ଛିଡ଼ା ହୋଇଥିବା ବେଳେ ଭବାନୀପାଟଣାରୁ କେସିଙ୍ଗା ପଟେ ଯାଉଥିବା ଏକ ମାଲ୍ ବୋଝେଇ କଣ୍ଟେନର ଦୃତ ଗତିରେ ଆସି ରାସ୍ତା କଡ଼ରେ ଥିବା ୩ ଟି ଟ୍ରକ୍ କୁ ଜୋର୍ ରେ ଧକ୍କା ଦେଇଥିଲା । ୨ ଟ୍ରକ୍ ଡ୍ରାଇଭରଙ୍କୁ ପ୍ରାୟ ୫୦ ଫୁଟ୍ ଘୋଷାଡି ନେଇଥିଲା ।
ଫଳରେ ଘଟଣା ସ୍ଥଳରେ ଦୁଇ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା । କେସିଙ୍ଗା ପୋଲିସ ତୁରନ୍ତ ଆସି ମୃତ୍ୟୁ ହୋଇଥିବା ଦୁଇ ଡ଼୍ରାଇଭରଙ୍କ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ପୋଲିସ ତାକୁ ଠାବ କରି ବର୍ତ୍ତମାନ କାବୁ କରିଥିବା ସୂଚନା ମିଳିଛି ।

