ଲୋଇସିଂହା, (୦୮/୦୯) : ଆପ୍ର : ଲୋଇସିଂହା ଥାନା କରକଚିଆ ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ କେବୁଲ୍ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
କରକଚିଆ ଗ୍ରାମର ଗୋପୀନାଥ ଧରୁଆ, କାମଦେବ ବାରିକ, ଅକ୍ଷୟ ଧରୁଆ, ତୁଲାକର ଗଡତ୍ୟା, ନିତ୍ୟାନନ୍ଦ ଧରୁଆ ପ୍ରମୁଖ ୫ ଜଣ ଚାଷୀ ଉଠା ଜଳସେଚନ ନିଗମରେ ଆବେଦନ ପୂର୍ବକ ବୋରୱେଲ ଖନନ କରିଥିଲେ । ଗତ ୨୦୨୫ ଜୁଲାଇ ମାସରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ କେବୁଲ ସଂଯୋଗ ହୋଇ ପ୍ରାୟ ୨୫ ଏକର ଜମିରେ ଚାଷ ହେଉଥିଲା । ତେବେ ସୋମବାର ରାତିରେ ଚୋରମାନେ ପ୍ରାୟ ୭ ରୁ ୮ ଟି ବିଦ୍ୟୁତ୍ ଖୁଣ୍ଟରୁ କେବୁଲ କାଟି ନେଇଥିବା ଅଭିଯୋଗ ହୋଇଛି । ଆଠମାସ ମଧ୍ୟରେ ଏଠାରୁ ଦ୍ଵିତୀୟ ଥର ପାଇଁ ଦୁବୃର୍ତ୍ତ ମାନେ ବିଦ୍ୟୁତ୍ କେବୁଲ ଚୋରୀ କରି ନେଇଥିବା ଜଣାଯାଇଛି ।
ଫଳରେ ଆଗାମୀ ଦିନରେ ଖରିଫ ଧାନଚାଷ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳରେ ଉଠା ଜଳସେଚନ ପ୍ରକଳ୍ପ ଗୁଡିକରୁ ବିଦ୍ୟୁତ କେବୁଲ ଚୋରୀ କ୍ରମଶଃ ବୃଦ୍ଧି ପାଇଥିବା ଯୋଗୁଁ ଏଥିରେ ଆନ୍ତଃରାଜ୍ୟ ଚୋରମାନେ ସଂପୃକ୍ତ ଥିବା ସନ୍ଦେହ ହେଉଛି । ଲୋଇସିଂହା ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରୁଥିବା ଜଣାଯାଇଛି । ଖୁବଶୀଘ୍ର ଚୋରମାନଙ୍କୁ ଗିରଫ କରାଯିବା ସହିତ ପୁନଃ ବିଦ୍ୟୁତ୍ କେବୁଲ ସଂଯୋଗ ସକାଶେ ପ୍ରଭାବିତ ଚାଷୀମାନେ ଦାବି କରିଛନ୍ତି ।

