କାକଟପୁର, (୧୮/୧୦) : ଆପ୍ର : ଶାରଦୀୟ ପାର୍ବଣର ଷୋଡ଼ଶ ଉପଚାର ପୂଜାର ସପ୍ତମୀ ତିଥି ତଥା ନବପତ୍ରିକା ପ୍ରବେଶ ଅବସରରେ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା ।
ମନ୍ଦିର ପରମ୍ପରା ଅନୁଯାୟୀ, ରାତି ପ୍ରାୟ ୯ ଘଟିକା ସମୟରେ ମା’ ମଙ୍ଗଳାଙ୍କ ଦ୍ୱିପ୍ରହର ଧୂପ ସରିବା ପରେ, ମା’ଙ୍କ ଚଳନ୍ତି ପ୍ରତିମା ମା’ ବନଦୁର୍ଗା’ଙ୍କୁ ସୁସଜ୍ଜିତ ବିମାନରେ ମହିଷାସୁର ସନ୍ଧାନ ନିମନ୍ତେ ରତ୍ନଗିରି ବିଜେ କରାଯାଇଥିଲା । ପୂଜାପଣ୍ଡା ସେବକମାନେ ମନ୍ଦିରରୁ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଆଣି ବିମାନରେ ବିଜେ କରାଇବା ପରେ ବିମାନ ରତ୍ନଗିରି ଅଭିମୁଖେ ଯାତ୍ରା କରିଥିଲା । ଏହି ରତ୍ନଗିରି ଯାତ୍ରା ସମୟରେ ବିଜୟ କାହାଳୀ, ଢୋଲ, ମର୍ଦ୍ଦଳ, ଘଣ୍ଟ, ଛତ୍ର ଏବଂ ଚାମର-ଆଲଟର ଏକ ବିଶାଳ ପଟୁଆର ବିମାନ ଆଗେ ଆଗେ ପରିକ୍ରମା କରିଥିଲା । ଏହି ପଟୁଆର ରତ୍ନଗିରି ମଣ୍ଡପରେ ପହଞ୍ଚିବା ପରେ ପୂଜାପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ପଂକ୍ତି ଭୋଗ ଅର୍ପଣ କରାଯାଇଥିଲା ।
ମା’ ପୁନର୍ବାର ବିମାନ ପଟୁଆର ସହିତ ମନ୍ଦିରକୁ ଫେରି ଆସିଥିଲେ । ଏହାପରେ ମନ୍ଦିର ପରିସରରେ ମା’ ବନଦୁର୍ଗା ଓ ମା’ ମଙ୍ଗଳାଙ୍କ ଭେଟ ହୋଇ ଜଗତି ପୂଜା ଅନୁଷ୍ଠିତ ହୋଇଥିଲା । ବିଧି ଅନୁଯାୟୀ ଦୁଇ ଦେବୀଙ୍କ ମନ୍ଦିର ପ୍ରବେଶ କରାଯିବା ପରେ ପହୁଡ଼ ପକାଯାଇ ଆରମ୍ଭ ହୋଇଥିଲା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ । ମା’ ମଙ୍ଗଳାଙ୍କ ପହୁଡ଼ ଖୋଲି ବେଶ ସରିବା ପରେ ଅପେକ୍ଷାରତ ହଜାର ହଜାର ଭକ୍ତଙ୍କ ଦର୍ଶନ ନିମନ୍ତେ ଫିଟିଥିଲା ବେଶ କବାଟ । କବାଟ ଖୋଲିବା ମାତ୍ରେ ମା’ ମଙ୍ଗଳା ପ୍ରସିଦ୍ଧ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଭୁଜ ଏବଂ ପୟର ଲାଗି କରାଯିବା ପରେ ମା’ ସିଂହ ଉପରେ ଉପବେଶନ କରି ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଥିଲେ । ଏହା ସହିତ ସୁବର୍ଣ୍ଣ ମୁକୁଟ, ହାର, କମରପଟି, କଙ୍କଣ, ପୂର୍ଣ୍ଣଚନ୍ଦ୍ର, ପଦ୍ମକଢ଼ି ଆଦି ନାନାଦି ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ଭୁବନମୋହିନୀ ରୂପରେ ଅବତୀର୍ଣ୍ଣ ହୋଇଥିଲେ ।
ମା’ଙ୍କର ଏହି ମନଲୋଭା ବେଶ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ମାଧ୍ୟମରେ ଧାଡ଼ି ଦର୍ଶନର ସୁବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ‘ମା’ ମଙ୍ଗଳା ସିଂହବାହିନୀ ଭଜନ ସମାରୋହ’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

