Homelocalନିସ୍ୱାର୍ଥପର ସେବାରେ ଚିକୁଭାଇ

ନିସ୍ୱାର୍ଥପର ସେବାରେ ଚିକୁଭାଇ

ନୟାଗଡ଼, (୦୩/୧୧) : ଆପ୍ର : ନିସ୍ୱାର୍ଥପର ସେବାରେ ଅନ୍ଯ ଏକ ଉଦାହରଣ ସ୍ୱରୂପ ଚିକୁଭାଈ । ଏକମାତ୍ର ପୁଅକୁ ହରାଇବାର ଦୁଃଖକୁ ମାନବ ସେବାରେ ପରିଣତ କରିଲେ ଚିକୁଭାଇ ।

ଏହିଛୋଟ_ଦୋକାନ_ରୋଜଗାରରେ_ମେଣ୍ଟାଉଛନ୍ତି_ଶହଶହଭୋକିଲାଙ୍କ_ଭୋକ ନିଃସ୍ୱାର୍ଥପର_ସେବାର_ଅନନ୍ୟ_ଉଦାହରଣ_”ସାଇପ୍ରସାଦ_ଖାଦ୍ୟ_ରଥ’ କିଛି ଦୁଃଖ ଏମିତି ଥାଏ, ଯାହାକୁ ଶବ୍ଦରେ ବଖାଣିବା ସମ୍ଭବ ନୁହେଁ। ଆଉ କିଛି ମଣିଷ ଥାଆନ୍ତି, ଯେଉଁମାନେ ନିଜ ଜୀବନର ସବୁଠାରୁ ବଡ଼ ଦୁଃଖକୁ ଅନ୍ୟର ମୁହଁରେ ହସ ଫୁଟାଇବାର ମାଧ୍ୟମ କରିଦିଅନ୍ତି। ନିଜର ଅତି ପ୍ରିୟ ଏକମାତ୍ର ସନ୍ତାନକୁ ହରାଇବାର ଅସହ୍ୟ ଯନ୍ତ୍ରଣାକୁ ହୃଦୟରେ ଚାପି ରଖି, ଅନ୍ୟର ଭୋକ ମେଣ୍ଟାଇବାକୁ ଜୀବନର ବ୍ରତ କରିନେଇଥିବା ଏମିତି ଜଣେ ମଣିଷ ହେଉଛନ୍ତି ନୟାଗଡ଼ ପୁରୁଣା ସହର କରଣସାହିର ବିଭୂତି ଭୂଷଣ ପଟ୍ଟନାୟକ ।

ସମସ୍ତଙ୍କ ପାଖରେ ସେ ପରିଚିତ ‘ଚିକୁ ଭାଇ’ ନାମରେ। ୨୦୨୦ମସିହା ଜାନୁଆରୀ ୫ ତାରିଖ। ଚିକୁ ଭାଇଙ୍କ ଜୀବନରେ ଏହି ଦିନଟି ଏକ ଅଭୁଲା ଦୁଃଖର ଦିନ ହୋଇ ରହିଯାଇଛି। ମାତ୍ର ୫ ବର୍ଷ ବୟସର ଏକମାତ୍ର ପୁଅ ‘ସାଇ’କୁ ହରାଇ ସେ ଭାଙ୍ଗି ପଡ଼ିଥିଲେ। ଯେଉଁ କୁନି ପୁଅର ହସରେ ତାଙ୍କ ସଂସାର ହସୁଥିଲା, ତା’ର ଅନୁପସ୍ଥିତି ତାଙ୍କ ଜୀବନକୁ ଶୂନ୍ୟ କରିଦେଇଥିଲା। କିନ୍ତୁ ଏହି ଗଭୀର ଶୋକ ତାଙ୍କୁ ସ୍ୱାର୍ଥପର କରିନଥିଲା; ବରଂ ଅନ୍ୟର ଦୁଃଖ ଓ ଭୋକକୁ ଅନୁଭବ କରିବାର ଶକ୍ତି ଦେଇଥିଲା ।
ସେହି ଦୁଃଖଦ ଘଟଣା ପରେ ଆରମ୍ଭ ହୋଇଥିଲା ଏକ ମହତ୍ ଅଭିଯାନ—‘ସାଇପ୍ରସାଦ ଖାଦ୍ୟ ରଥ’।

ନିଜ ପୁଅର ସ୍ମୃତିକୁ ହୃଦୟରେ ଜାବୁଡ଼ି ଧରି ଭୋକିଲା ମଣିଷଙ୍କ ମୁହଁରେ ଆହାର ଦେବାକୁ ସେ ନିଜର ଲକ୍ଷ୍ୟ କରିନେଲେ । ଚିକୁ ଭାଇଙ୍କର ପୁରୁଣା SBI ରୋଡ଼ରେ ଏକ ଛୋଟ ଗ୍ୟାସ ଚୁଲା ମରାମତି ଦୋକାନ ରହିଛି । ସେହି ଦୋକାନରୁ ଯାହା କିଛି ରୋଜଗାର ହୁଏ, ତାହାର ଅଧିକାଂଶ ଅର୍ଥ ଭୋକିଲା ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ଖର୍ଚ୍ଚ କରନ୍ତି । ନିଜ ସାମର୍ଥ୍ୟ ଅନୁସାରେ ଅନ୍ୟର ପେଟକୁ ଦାନା ଯୋଗାଇବା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ସନ୍ତୋଷ । କରୋନା ମହାମାରୀର କଠିନ ସମୟରେ ଯେତେବେଳେ ଅନେକ ଲୋକ ଦୁଇ ଓଳି ଖାଦ୍ୟ ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ଚିକୁ ଭାଇ ପ୍ରତିଦିନ ଭୋକିଲା ଓ ଅସହାୟ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଥିଲେ । ସେହି ଦିନ ଠାରୁ ଆରମ୍ଭ ହୋଇଥିବା ଏହି ସେବା ଆଜି ମଧ୍ୟ ଅବ୍ୟାହତ ରହିଛି ।

ବର୍ତ୍ତମାନ ସପ୍ତାହକୁ ତିନି ଦିନ ପ୍ରାୟ ୬୦୦ ଜଣଙ୍କୁ ନିୟମିତ ଭାବେ ଖାଦ୍ୟ ବଣ୍ଟନ କରୁଛନ୍ତି ଚିକୁ ଭାଇ । ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଯାଇଛି; କିନ୍ତୁ ତାଙ୍କ ସେବାରେ ଆଜି ପର୍ଯ୍ୟନ୍ତ ବିରାମ ଲାଗିନାହିଁ। ସତରେ, ମହାନ ହେବା ପାଇଁ ବଡ଼ ପଦବୀ କି ବିପୁଳ ସମ୍ପତ୍ତିର ଆବଶ୍ୟକତା ନାହିଁ । ଏକ ଛୋଟ ଦୋକାନର ସୀମିତ ରୋଜଗାରରୁ ମଧ୍ୟ ଯେ ଶହ ଶହ ଲୋକଙ୍କ ଭୋକ ମେଣ୍ଟା ଯାଇପାରେ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଚିକୁ ଭାଇ ।

ନିଜ ପୁଅ ଆଜି ତାଙ୍କ ପାଖରେ ନାହିଁ, କିନ୍ତୁ ଅନେକ ଭୋକିଲା ମଣିଷଙ୍କ ମୁହଁରେ ଖାଦ୍ୟ ଦେଇ ସେ ଯେଉଁ ମାନବିକତାର ପରିଚୟ ଦେଉଛନ୍ତି, ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ବଡ଼ ପ୍ରେରଣା । କାରଣ, ଭୋକିଲା ପେଟରେ ଆହାର ଦେବାଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଚିକୁ ଭାଇଙ୍କ ଏହି ନିଃସ୍ୱାର୍ଥପର ସେବା ଆଗାମୀ ପିଢ଼ି ପାଇଁ ମାନବିକତାର ଏକ ଅମୂଲ୍ୟ ବାର୍ତ୍ତା ହୋଇ ରହିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments